ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ଜାରି ହୋଇଛି । ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓଡ଼ିଶା ଆସି ଭୁବନେଶ୍ୱରରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ରଦିନ ସକାଳେ କଟକରେ ଦଳୀୟ କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ।ସେପଟେ ରବିବାର ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସେ ଏଠି ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ରିଲିଜ୍ କରିବା ପରେ ସନ୍ଧ୍ୟାରେ କଟକରେ କାର୍ଯ୍ୟକର୍ତ୍ତା ବୈଠକରେ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଏଣେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ଭଳି ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ରାଜ୍ୟ ବିଜେପି।ସୋନପୁରରୁ ରାଜ୍ୟରେ ସରକାର ପରିବର୍ତ୍ତନର ଅମିତ୍ ଶାହାଙ୍କ ହୁଙ୍କାର ।
ଓଡ଼ିଆ ଅସ୍ମିତାଠୁ, ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାର ହାଇଜାକିଂ ଆଦି ପ୍ରସଙ୍ଗରେ ନିଶାନା ସହ ନବୀନ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଦେଇଥିବା ଆହ୍ୱାନ ରାଜ୍ୟ ବିଜେପିରେ ଜୋଶ୍ ଭରିଛି। ସେମିତି ୨୮ ତାରିଖରେ ବ୍ରହ୍ମପୁର ଆମ୍ବପୁଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଙ୍କ ନିଶାନା ପରେ ପରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଅସ୍ମିତା ସଙ୍କଟରେ ଥିବା ଏବଂ ଓଡ଼ିଆ ଭାଷା ବିପଦରେ ପଡ଼ିଥିବାରୁ ଓଡ଼ିଆ ଲୋକେ ଏହାକୁ ଲମ୍ବା ସମୟ ଆଉ ବରଦାସ୍ତ କରିବେନି ବୋଲି ଦେଇଥିବା ମନ୍ତବ୍ୟ ନିର୍ବାଚନୀ ରାଜନୀତିକୁ ଅଧିକ ରୋଚକ କରିଛି।
ଏସବୁ ପରିପ୍ରକ୍ଷୀରେ ମୋଦି ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସି ସୋମବାର ବ୍ରହ୍ମପୁର ସଭାରେ କିଭଳି ଢଙ୍ଗରେ ବାଣ ଛାଡୁଛନ୍ତି ? ନବରଙ୍ଗପୁର ସଭାରେ କାହାକୁ ନିଶାନା କରୁଛନ୍ତି ? ତାକୁ ନେଇ ଜୋରଦାର ଚର୍ଚ୍ଚା। ତେଣେ ରାଜନୈତିକ ସମୀକ୍ଷକ କହିଲେଣି- ମୋଦିଙ୍କ ଓଡ଼ିଶା ଗସ୍ତ ଏଠିକାର ନିର୍ବାଚନୀ ପାଣିପାଗକୁ ହଠାତ୍ ଭିନ୍ନ ମୋଡ଼ ଦେଇପାରେ ।ବିଜେଡି ସରକାରକୁ କ୍ଷମତାରୁ ହଟାଇବାକୁ ଏବେ ଓଡ଼ିଶା ମୁହାଁ ବିଜେପିର ମାଳ ମାଳ ହେଭିୱେଟ୍ ନେତା। ମୋଦି, ଶାହା ଓ ନଡ୍ଡାଙ୍କ ଘନ ଘନ ପ୍ରଚାର ସାଙ୍ଗକୁ ଏଠି ୩୦ ଜିଲ୍ଲା ଦାୟିତ୍ୱରେ ଅଛନ୍ତି ୩୦ ଟପ୍ ନେତା।