ସାଂସଦଙ୍କ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଦୁର୍ବ୍ୟବହାର କଲେ ବିଜେପି କର୍ମୀ
ବଡ଼ବିଲ ( ବିପ୍ଲବୀ ପରିକ୍ରମା ):- ସାଂସଦଙ୍କ ଠାରୁ ବଳିଗଲେ ତାଙ୍କ ସମର୍ଥକ l ସାମ୍ବାଦିକଙ୍କୁ ଡାକି ଦୁର୍ବ୍ୟବହାର କଲେ, ବୁମ୍ ଠେଲିଦେଲେ ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାଏକ ଦୟାକରି ନିଜ ସମର୍ଥକଙ୍କୁ ବ୍ୟବହାର ଶିଖାଇବାକୁ ଅନୁରୋଧ, ଅନ୍ୟଥା ଏପରି ଉଦ୍ଧତ ସମର୍ଥକଙ୍କ ପାଇଁ ସାଂସଦଙ୍କ ପ୍ରତିଷ୍ଠା ତଳକୁ ପଡ଼ିବା ନିଶ୍ଚିତ। ରାଜ୍ୟରେ ବିଜେପି ସରକାର ଗଠନର ମାସେ ପୁରିଛିକି ନାହିଁ ସମର୍ଥକଙ୍କ ଫୁଟାଣୀ ପଦାକୁ ବାହାରି ଗଲାଣି। ଏପରି ଘଟଣା ଦେଖା ଯାଇଛି ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ।
ମଙ୍ଗଳବାର ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାଏକଙ୍କ ଦ୍ଵାରା ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା ୫ଟା ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବଡବିଲ ବିଜେପି ପକ୍ଷରୁ ସ୍ଥାନୀୟ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ସାଂସଦ ଶ୍ରୀ ଅନନ୍ତ ନାଏକ, ମାନ୍ୟବର ତେଲକୋଇ ବିଧାୟକ ଡ. ଫକିର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ ପ୍ରାୟ ରାତି ୮ଟାରେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ନବନିର୍ବାଚିତ ଜନପ୍ରତିନିଧିଙ୍କ ଜିଲ୍ଲା ସାରା କାର୍ଯ୍ୟକ୍ରମ ରହି ଥିବାରୁ ତାଙ୍କ ବିଳମ୍ବ ହୋଇ ଥାଇପାରେ। ସେ ଦିଗକୁ ଆମେ ଯାଉନୁ। ମାତ୍ର ସେଠାରେ ରକ୍ତ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ ପରେ ଦୀର୍ଘ ସମୟରୁ ଅପେକ୍ଷାରତ କିଛି ସାମ୍ବାଦିକ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାଏକଙ୍କ ପ୍ରତିକ୍ରିୟା ନେବାକୁ ଯାଉଥିବା ବେଳେ ନିଜକୁ ସାଂସଦଙ୍କ ବଡ ସମର୍ଥକ ଭାବୁଥିବା ବ୍ୟକ୍ତି ଜଣକ ‘ବହୋତ୍ ଟାଇମ୍ ହୋ ଗୟା ହୈ କହି’ ସାମ୍ବାଦିକଙ୍କୁ ବାଧାଦେବା, ଠେଲାପେଲା କରିବା ଓ ବୁମ୍ ପେଲିଦେବା ଭଳି ଆଚରଣ କରିଥିଲେ। ଯାହା ସାଧାରଣରେ ଗ୍ରହଣୀୟ ନୁହେଁ।
ଆଉ ଲୋକଙ୍କ ସରକାର କହୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଶାସନରେ ତ ବିଲକୁଲ ଗ୍ରହଣୀୟ ନୁହେଁ। ଦୀର୍ଘ ୨୪ବର୍ଷର ସଂଘର୍ଷ ପରେ ଲୋକଙ୍କ ଆଶୀର୍ବାଦରେ ରାଜ୍ୟରେ ବିଜେପି ଦଳ ପ୍ରଥମ କରି ନିଜ ସରକାର ଗଢିଥିବା ବେଳେ ସରକାର ଗଠନର ମାସେ ନ ହେଉଣୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହା ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଜେପି କର୍ମୀଙ୍କ ଏଭଳି ବ୍ୟବହାର ସାଧାରଣରେ ଆଶ୍ଚର୍ୟ୍ଯ ସୃଷ୍ଟି କରିଛି। ଯଦି ବିଜେପି ଦଳର ନେତୃ ମଣ୍ଡଳୀ ନିଜ କର୍ମୀଙ୍କ ଏଭଳି ବ୍ୟବହାର ଉପରେ ତାଗିଦ୍ ନ କରନ୍ତି ହେଲେ ଆଗକୁ ଏହି ଲଗାମ ଛଡା କର୍ମୀ ସାଧାରଣ ଲୋକଙ୍କୁ କଣ ବ୍ୟବହାର ଦେବେ ତାହା ପ୍ରଶ୍ନବାଚୀ !