ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ବିଜେପି ୨୦୨୪ରେ ନିର୍ବାଚନ ଜିତି ଓଡ଼ିଶାରେ ସରକାର କଲେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିବ। ଏଥିରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର ନଗଦ ଭାଉଚର୍ ଦେବ। ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। କେବଳ ଏତିକି ନୁହେଁ, ‘ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା’ ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ୍ (ଭତ୍ତା) ପ୍ରଦାନ କରିବ। ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୫୦୦ଟଙ୍କା ଭତ୍ତା ମିଳିବ। ୧୦୦ଦିନ ମଧ୍ୟରେ ଦେଶର ସବୁଠୁ ବଡ଼ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବ। ଏଥିରେ ବାର୍ଷିକ ୮ଲକ୍ଷରୁ କମ୍ ରୋଜଗାର କରୁଥିବା ନାଗରିକମାନେ ସାମିଲ୍ ହେବେ। ଏହାସହ ୭୦ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବର୍ଗର ଲୋକେ ଏହି ଯୋଜନାରେ ସାମିଲ୍ ହେବେ।ଏହିଭଳି ୨୧ଟି ଲୋଭନୀୟ ପ୍ରତିଶ୍ରୁତି ନେଇ ଓଡ଼ିଶା ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଛି।
ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଜେପିର ସଂକଳ୍ପ ପତ୍ର ‘ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪’କୁ ଲୋକାର୍ପଣ କରିଛନ୍ତି। ଏହାକୁ ଲୋକାର୍ପଣ କରି ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡ଼ିଶାରେ ବିଜେପି ବିରୋଧୀ ଦଳରେ ବସିବାକୁ ନୁହେଁ, ସରକାର ଗଢ଼ିବାକୁ ନିର୍ବାଚନ ଲଢ଼ୁଛି। ତେଣୁ ଯେଉଁ ଗ୍ୟାରେଣ୍ଟି ଦେଉଛୁ ତାକୁ ନିଶ୍ଚିତ ପୂରଣ କରିବୁ। ନବୀନ ସରକାର କେବଳ ମିଛ ପ୍ରତିଶ୍ରୁତି ଦିଏ। ଯାହା ଜଳସେଚନ, ନିଯୁକ୍ତି, ଏମ୍ଏସ୍ପି, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦେଖିଲେ ଜାଣି ହେଉଛି। ନଡ୍ଡା କହିଥିଲେ ଯେ ବର୍ତ୍ତମାନର ରାଜନୀତି ହେଉଛି ରିପୋର୍ଟ କାର୍ଡ ରାଜନୀତି। ବିଜେପି ଯାହା କହେ ତାହା କରିକି ଦେଖାଏ। ଗ୍ୟାରେଣ୍ଟିକୁ ନିଶ୍ଚିତ ପୂରଣ କରିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି। ମୋଦୀଙ୍କ ନେତୃତ୍ବରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି। ମୋଦୀଙ୍କ ନେତୃତ୍ବରେ ଭାରତର ଗରିବୀ ୨୫% କମିଛି। ଦେଶର ସବୁଠୁ ବୃହତ୍ତମ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’କୁ ନବୀନ ବାବୁ ରାଜନୈତିକ ଦୃଷ୍ଟିକୋଣରୁ ଲାଗୁ କରୁନାହାନ୍ତି। ବିଜେପି ସରକାରକୁ ଆସିଲେ ବିଜେଡିର ସର୍ବବ୍ୟାପ୍ତ ଦୁର୍ନୀତିକୁ ଶେଷ କରିବ। ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୧୮ ମାସରେ ତାଙ୍କ ଜମା ଟଙ୍କା ଫେରାଇବ ଏବଂ ଠକିଥିବା ଲୋକଙ୍କୁ ଦଣ୍ଡ ଦେବ। ଓଡ଼ିଶାରେ ଲୋକ ସବୁଠୁ ଅଧିକ ବିଦ୍ୟୁତ୍ ବିଲ୍ ଦେଉଛନ୍ତି।
ତେଣୁ ସମସ୍ତେ ଯେପରି ମାଗଣାରେ ବିଦ୍ୟୁତ୍ ପାଇବେ ସେଥିପାଇଁ ବ୍ୟବସ୍ଥା କରିବ। ଶୀତଳ ଭଣ୍ଡାରଗୁଡ଼ିକୁ ପୁନରୁଦ୍ଧାର କରି ଚାଷୀଙ୍କୁ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଦେବାକୁ ବ୍ୟବସ୍ଥା କରାଯିବ।ସରକାର ପରିବର୍ତ୍ତନର ଇସ୍ତାହାର। ଇସ୍ତାହାର କମିଟି ଅଧ୍ୟକ୍ଷ ସମୀର ମହାନ୍ତି କହିଥିଲେ ଯେ ୩ଲକ୍ଷରୁ ଅଧିକ ମତାମତକୁ ଆଧାର କରି ଏହି ସଂକଳ୍ପପତ୍ର ପ୍ରସ୍ତୁତ ହୋଇଛି। ୧ଲକ୍ଷ ୮୦ହଜାରରୁ ଅଧିକ ଲିଖିତ ମତାମତ, ୪୨ହଜାରରୁ ଅଧିକ ମିସ୍ କଲ୍, ୧୨ହଜାରରୁ ଅଧିକ ହ୍ବାଟସଆପ୍ ମେସେଜ୍ ମାଧ୍ୟମରେ ସଂଗ୍ରହ ମତାମତ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ହୋଟେଲ ମେ’ଫେୟାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।