ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି (ମଙ୍ଗଳବାର) ସକାଳେ ଦିଲ୍ଲୀରୁ ଉତ୍ତରପ୍ରଦେଶର ବାରଣାସୀ ଯାଉଥିବା ବିମାନରେ ବୋମା ଥିବାର ଧମକ ମିଳିଛି । ଏହି ଖବର ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଏମର୍ଜେନ୍ସି ଡୋର୍ ଦେଇ ବାହାରକୁ ନିଆଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ଆଭିଏସନ ସୁରକ୍ଷା ଟିମ୍ ସହ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ବିମାନ ନିକଟରେ ପହଞ୍ଚି ଟିକନିକ୍ ଯାଞ୍ଚ କରୁଛନ୍ତି । ଦିଲ୍ଲୀ ଅଗ୍ନିଶମ ବାହିନୀ ଏବଂ କ୍ବିକ୍ ରେସପନ୍ସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।ସୂଚନା ମୁତାବକ, ଏହି ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୫ଟା ୩୫ ମିନିଟ୍ରେ ଉଡାଣ ଭରିବାର ଥିଲା । ହେଲେ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ଏବେ ସର୍ଚ୍ଚ ଅପେରସନ ଜାରି ରହିଛି । ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରିନି ।