ବର୍ଷାର ତାଣ୍ଡବ ସହ ବଜ୍ରାଘାତରେ ବାଳକ ମୃତ, ସହରସାରା ଜଳମୟ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆହୁରି ଦୁଇ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ,ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁର ସମ୍ମିଶ୍ରଣ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଜଗତ୍‌ସିଂହପୁର ,କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କୁଆପଥର ସହ ବିଜୁଳି ଘଡଘଡି ବର୍ଷା ହେବ । ଏହାସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷାକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

 

ତେବେ ଗଞ୍ଜାମ ଦିଗପହଣ୍ଡି ରେ ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ରାଜେଶ କୁମାର ଗୌଡ଼ ମୃତ । ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା, ଗୁରୁତର ଅବସ୍ଥାରେ ବମକେଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କଲେ, ରାଜେଶ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଦେଇଥିଲେ । ଅନ୍ୟପଟେ ବ୍ରହ୍ମପୁରରେ ପ୍ରବଳ ବର୍ଷା । ପ୍ରବଳ ବର୍ଷାପରେ ମେଡିକାଲରେ ପଶିଲା ପାଣି । ବ୍ରହ୍ମପୁର ଏମକେସିଜି ମେଡିକାଲର ଟିକେଟ କାଉଣ୍ଟରରେ ବର୍ଷା ପାଣି ପଶିଥିବା ଯୋଗୁଁ କାର୍ଯ୍ୟ ବନ୍ଦ । କାମ ବନ୍ଦ ହୋଇପଡ଼ିବା ଯୋଗୁଁ ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି । ମେଡିକାଲର ଆଉଟଡୋରର ଅନେକ ୱାର୍ଡରେ ମଧ୍ୟ ବର୍ଷା ପାଣି ପ୍ରବେଶ କରିବା ଦ୍ବାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସେପଟେ ସହର ସାରା ପ୍ରବଳ ବର୍ଷାରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି ।

 

ତେବେ ଛୋଟ ହେଉ କି ବଡ଼ ବର୍ଷା ସହରର ରୋଡ଼ ରେ କିନ୍ତୁ ପାଣି ଆଣ୍ଠୁଏ…. ଇଏ କେବଳ ବ୍ରହ୍ମପୁର ରେ ନୁହଁ ଅନେକ ସହରିଆ ସ୍ଥାନ ମାନଙ୍କରେ ଏହି ପ୍ରକାର ଅସୁବିଧା ଦେଖିବାକୁ ମିଳେ l ତେବେ ଏନେଇ ସରକାରଙ୍କ ମାଳ ମାଳ ଯୋଜନା ବିଶେଷ କରି ଡ୍ରେନେଜ ସିଷ୍ଟମ କେତେ ସୁଚାରୁରୂପେ ହୋଉଛି ତାହା ଜଳ ଜଳ ଦିଶୁଛି l

LEAVE A REPLY

Please enter your comment!
Please enter your name here