ଯାତ୍ରାରେ ପୁଣି ଯାତେରା କଳି : ଅଭିନେତାଙ୍କୁ ବୟକଟ୍ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚଳିତ ବର୍ଷ ସବୁ ସିମା ସରହଦ ପାର କରିଦେଇଛି ଯାତ୍ରା ଜଗତ l ଦାଣ୍ଡରେ ପଡି ହାଟରେ ଗଡ଼ୁଛି ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ଚରମ ସୀମାରେ ପହଞ୍ଚିଛି ବିବାଦ । କେତେବେଳେ ପଇସା ନେଇ କାମ ନ କରିବା ଅଭିଯୋଗ ତ ଆଉ କେତେବେଳେ ଅଭିନେତାଙ୍କୁ ନିର୍ଧୁମ ମାଡ଼ ମାରିବାର ଅଭିଯୋଗ ମଧ୍ୟରେ ବିବାଦ ଏବେ ଚରମ ସୀମାରେ l କେତେବେଳେ ପୀୟୁଷ ତ୍ରିପାଠୀ ବନାମ ଯାତ୍ରା ସିଂହବାହିନୀକୁ ନେଇ ବିବାଦ ଘନେଉଛି ତ କେତେବେଳେ ହାସ୍ୟ ଅଭିନେତା ନରି ପଣ୍ଡା ବନାମ୍ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳଙ୍କ ମଧ୍ୟରେ ଚାଲୁଛି ବିବାଦ ।ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍ କରାଯାଇଛି । ଏହାରି ଭିତରେ ଆକ୍ରମଣର ଅଭିଯୋଗ ଆଣି ପୋଲିସ ଦ୍ବାରସ୍ଥ ହୋଇଥିବା ନରିଙ୍କୁ ଶୁକ୍ରବାର ସିଧାସଳଖ ବୟକଟ୍ କରିଛି ଯାତ୍ରା ମାଲିକ ସଂଘ । ବର୍ଷକ ପାଇଁ କୌଣସି ମଞ୍ଚରେ ନରି ପଣ୍ଡାଙ୍କୁ ଅଭିନୟର ସୁଯୋଗ ଦିଆଯିବ ନାହିଁ ବୋଲି ଆଜି ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଏକ ହୋଟେଲରେ ୧୩ଟି ଯାତ୍ରା ମାଲିକଙ୍କୁ ନେଇ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକରେ ହୋଇଛି ମିଳିତ ନିଷ୍ପତ୍ତି । ଅଶାଳୀନ ମନ୍ତବ୍ୟ ଏବଂ କୌଣସି ଆଧାର ନଥିବା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହେବା ସହ ବିବାଦ ସୃଷ୍ଟି କରୁଥିବା ଦର୍ଶାଇ ୧୩ଟି ଯାତ୍ରା ପାର୍ଟି ମାଲିକ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।

 

ସୂଚନା ପ୍ରକାରେ, ଗତ ମାର୍ଚ୍ଚ ୨୯ରେ ଯାଜପୁରରେ ନରିଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଅନନ୍ତ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ।ଏହାପରେ ସୁରକ୍ଷା ଲୋଡ଼ି ଗତ ମାର୍ଚ୍ଚ ୩୧ ବିଳମ୍ବିତ ରାତିରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଅନଲାଇନରେ ଏତଲା ଦେଇଥିଲେ ନରି । ନରି କହିଥିଲେ, ଯଦି ନ୍ୟାୟ ନ ମିଳେ, ଯାତ୍ରା ଜଗତରୁ ସନ୍ନ୍ୟାସ ନେବେ l ନରିଙ୍କ ଅଭିଯୋଗକୁ ସେତେବେଳେ ଖଣ୍ଡନ କରିଥିଲେ ତୁଳସୀ ଗଣନାଟ୍ୟ ମାଲିକ । କହିଥିଲେ, ବର୍ଷକ ପାଇଁ ଚୁକ୍ତି କରି ଅଗ୍ରୀମ ନେଇଥିବା ନରି ଏବେ ନଆସିବାକୁ ବାହାନାକରି ଏଭଳି ଅଭିଯୋଗ ଆଣୁଛନ୍ତି । ଏହି ଘଟଣାର ୪ ଦିନ ଭିତରେ ଆଜି ନରି ପଣ୍ଡାଙ୍କୁ ଯାତ୍ରା ପାର୍ଟି ମାଲିକ ସଂଘ ବୟକଟ୍ କରିଥିବାବେଳେ ନରି ପଣ୍ଡା କହିଛନ୍ତି, ନ୍ୟାୟ ପାଇଁ ସଂଗ୍ରାମ ଜାରି ରହିବ । ଯାତ୍ରା କଳାକାର ସଂଘ ଯାହା ନିଷ୍ପତ୍ତି ନେବା କଥା ନେବ । ସତ୍ୟ ସାମ୍ନାକୁ ନଆସିବା ଯାଏଁ ମୁହଁରେ ପାଉଡ଼ର ଲଗାଇବେନି କହିଛନ୍ତି ନରି ପଣ୍ଡା ।

 

ଅପରପକ୍ଷେ ଚଳିତ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ଜଲିଉଡ ହାଇପେଡ୍ ଆକ୍ଟର ପୀୟୁଷ ତ୍ରିପାଠୀ । ସୋସିଆଲ୍ ମିଡ଼ିଆରେ ସାମ୍ନାକୁ ଆସିଛି ଅଭିନେତା ପୀୟୁଷ ତ୍ରିପାଠୀଙ୍କ ବାପା ନଗେନ୍ଦ୍ରନାଥ ତ୍ରିପାଠୀଙ୍କ ଚିଠି । ଯାହାକୁ ନେଇ ବଢ଼ିଛି ଚର୍ଚ୍ଚା । ସେ ଚିଠିରେ ଦର୍ଶାଇଛନ୍ତି, ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଥିବାରୁ ଏବର୍ଷ ଘରେ ରହିବ ପୀୟୁଷ । ତେଣୁ ୨ଟି ପାର୍ଟି ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇ ନେବାର ଦାୟିତ୍ବ ବହନ ପାଇଁ ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ନିବେଦନ କରିଛନ୍ତି ପୀୟୁଷଙ୍କ ବାପା ।

LEAVE A REPLY

Please enter your comment!
Please enter your name here