ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ ବଡ଼ିଆଙ୍କ ବି ଘର ଭଙ୍ଗା ହେବ । ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ। ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ କୋଠା। ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପୂର୍ବରୁ ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାରୀ ଜମି ଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହେବ କଥା କିନ୍ତୁ ଅନେକ ଜବରଦଖଲ ଯୋଗୁଁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।