ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ୨ ଘଣ୍ଟାର ଜେରା ପରେ ଅତିଥି ଭବନରୁ ବାହାରିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଉକ୍ତ ମାମଲାରେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଗୃହ ବିଭାଗର ଅତରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପୁରା ଘଟଣାକୁ ନେଇ ଅଚ୍ୟୁତ ସାମନ୍ତଙ୍କୁ ପଚରା ଉଚରା କରିଛି । ଉଚ୍ଚସ୍ତରୀୟ କମିଟି ଅଚ୍ୟୁତ ସାମନ୍ତଙ୍କ ବୟାନ ରେକର୍ଡ କରିଛି। ଅଚ୍ୟୁତଙ୍କ ସହ କୁଳପତି ଡାକ୍ତର ଶରଣଜିତ୍ ସିଂ ମଧ୍ୟ ଅତିଥି ଭବନରୁ ବାହାରିଛନ୍ତି। କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଓ ଏହାପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ୮ ଜଣଙ୍କ ବୟାନ ରେକର୍ଡ କରିବାକୁ ଡାକିଥିଲା ଉଚ୍ଚସ୍ତରୀୟ କମିଟି । ପୂର୍ବରୁ କିଟ୍ ହଷ୍ଟେଲର ନିଲମ୍ୱିତ ଇନଚାର୍ଜ ଜୟନ୍ତୀ ନାଥ, କିଟ ଇଣ୍ଟର ନ୍ୟାସନାଲ ରିଲେସନ ଅଫିସର ରେଶମ ନୱାଜ, କିଟ୍ କୁଳପତି ଡାକ୍ତର ଶରଣଜିତ୍ ସିଂ, ରେଜିଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ପହଞ୍ଚି ବୟାନ ରେକର୍ଡ କରିଛନ୍ତି । ତେବେ କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଏବେ ସେହି ଉଚ୍ଚସ୍ତରୀୟ କମିଟି କିଟ କାଣ୍ଡର ଖୋଳତାଡ ଆରମ୍ଭ କରିଛି ।
ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି। ଜୟସ୍ବାଲ କହିଛନ୍ତି ଏହି ଘଟଣାକୁ ନେଇ ନେପାଳ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛି। ଏହା ସହିତ ଓଡ଼ିଶା ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ନେଇ ସେ ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରାଳୟ ସର୍ବଦା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ପ୍ରଦାନ କରିଥାଏ। ଛାତ୍ରୀ ମୃତ୍ୟୁକୁ ଗମ୍ଭୀରତାର ସହ ନିଆ ଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ମଧ୍ୟ ମିଳିଛି।