ରାଜଧାନୀର ଛାତି ଉପରେ ହୋଇଛି ଚଢ଼ାଉ : ଛାପା ମାରିଛି CBI

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶନିବାର ସମୟ ରାତି ପ୍ରାୟ ୯ଟା ୪୫ ମିନିଟ୍, ସ୍ଥାନ- ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ ସାମ୍ନା, ହଠାତ୍ ଦିଲ୍ଲୀରୁ ଆସିଥିବା ୬ ଜଣିଆ ସିବିଆଇ ଟିମ୍ ଏହି ଦାମୀ କାର ପାଖରେ ପହଞ୍ଚି ଚଳାଇଥିଲେ ଛାନଭିନ୍ । ସାଙ୍ଗରେ ଥିଲେ କାର ମାଲିକଙ୍କ ସହ ୪ ଜଣ ବ୍ୟକ୍ତି,ଚାଲିଥିଲା ଟଣାଭିଡ଼ା,ଖୋଲାଗଲା କାର,ଭିତରୁ ମିଳିଲା ବଣ୍ଡଲ ବଣ୍ଡଲ୍ ନୋଟ୍ ।ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, କିଛି ସୁନା ବି ମିଳିଥିବା କୁହାଯାଉଛି । ଏହାପରେ ଗାଡ଼ିରେ ଥିବା ୪ ଜଣଙ୍କୁ ହେପାଜତକୁ ନେଇ ଖୋଳତାଡ଼ କରିଥିଲା ସିବିଆଇ । ରବିବାର ଦିନ ତମାମ୍ ବ୍ରିଜ୍ ଆଣ୍ଡ୍ ରୁଫ୍ କୋ’ର ବ୍ରାଞ୍ଚ ଅଫିସ୍ ଏବଂ ସୁପରକ୍ଲାସ୍ କଣ୍ଟ୍ରାକ୍ଟର ଦେବବ୍ରତ ମହାପାତ୍ରଙ୍କ ଘରେ ରେଡ୍ ଚାଲିଥିଲା । ଧଳା ରଙ୍ଗର ଆଉ ଏକ ଦାମୀ କାରକୁ ଜବତ କରିଛି ସିବିଆଇ ।

ଏଠି ପ୍ରଶ୍ନ ଉଠୁଛି , କେନ୍ଦ୍ର ସରକାରଙ୍କ ଭାରିଶିଳ୍ପ ମନ୍ତ୍ରାଳୟ ଅଧିନରେ ଆସୁଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କୋ ଲିମିଟେଡ୍ ଅଫିସ ଏବଂ ତା’ଲିଙ୍କରେ ଥିବା ବ୍ୟକ୍ତିଙ୍କ ଉପରେ କାହିଁକି ଜାରି ରହିଛି ଏତେ ବଡ଼ ଧରପଗଡ଼ ? ରେଡ୍ ପଛର ରହସ୍ୟ କ’ଣ? ବଡ଼ଧରଣର ଟେଣ୍ଡର ଫିକ୍ସିଂ ପାଇଁ ଚାଲିଥିଲା କି ମହାଡିଲ୍ ?

ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀର ଓଡିଶା ମୁଖ୍ୟ ତଥା GGM ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍ । ଏଥିପାଇଁ ଦିଆଯାଉଥିଲା ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଲାଞ୍ଚ । ଠିକ୍ ଏହି ସମୟରେ ଆଗୁଆ ସୂଚନା ପାଇଥିବା ସିବିଆଇ ଟିମ୍ ମାଡ଼ିବସିଲା ହୋଟେଲ୍ ସାମ୍ନାରେ । କାରଣ କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ନେଇ କମ୍ପାନୀ ବିରୋଧରେ ଦିଲ୍ଲୀ ସିବିଆଇ ପାଖରେ ଆଗରୁ ଏକ ମାମଲା ରୁଜୁ ହୋଇଥିଲା । ଅଧିକ ଖୋଳତାଡ଼ ପାଇଁ ଗିରଫ ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ତେବେ ତମାମ ଘଟଣା ସଂପର୍କରେ ବ୍ରିଜ୍ ଆଣ୍ଡ୍ ରୁଫ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here