ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି। ସମସ୍ତ ପୋଲିସ କର୍ମଚାରୀଙ୍କୁ SOP ବାବଦରେ ଜଣାଇବା ପାଇଁ ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ଓଡ଼ିଆ ଭାଷାରେ SOPକୁ ବ୍ୟାପକ ଭାବେ ପ୍ରଚାର କରିବାକୁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ପୋଲିସ ADG ଦୟାଲ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠକୁ ସରକାର ଓ ପୋଲିସ ମୁଖ୍ୟାଳୟ କଡାକଡି ଭାବେ ପାଳନ କରିବେ ବୋଲି କୋର୍ଟ ଆଶା ବ୍ୟକ୍ତ କରି ନିଜ ଆଡୁ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।