ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅସହ୍ୟ ତାତିରେ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ହଠାତ ପାଗରେ ପରିବର୍ତ୍ତନ ହେବାସହ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷାର ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ହୋଇଛି । ଆଜି ଠାରୁ ଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଗତକାଲି ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଏହାରି ମଧ୍ୟରେ ଆଜି ଓଡ଼ିଶାର ଅନେକ ସ୍ଥାନରେ କାଳବୈଷାଖୀ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଆଜି ଅର୍ଥାତ ମେ’ 2 ତାରିଖରୁ ରାଜ୍ୟରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ତାପମାତ୍ରାକୁ ନେଇ ଆଜିଠାରୁ ଠାରୁ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟକୁ ପରିବର୍ତ୍ତନ କରାଯାଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହାସହ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶା ଓ ଏହାର ପାଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
ତେବେ ଆଗାମୀ ଦିନରେ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, ବାଲେଶ୍ୱର,କେନ୍ଦୁଝର, ରାୟଗଡା ଓ ବାରିପଦାରେ ବର୍ଷା ପ୍ରଭାବରେ ପ୍ରଚଣ୍ଡ ରୁଦ୍ର ତାପରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଠାରୁ ୪ ଦିନ ଯାଏ କିଛି କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବା ବେଳେ ୬ ତାରିଖରୁ ରାଜ୍ୟର ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ସେହିପରି 7 ତାରିଖରୁ କାଳବୈଶାଖୀ ପ୍ରଭାବରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ।