(ବିପ୍ଲବୀ ପରିକ୍ରମା ବ୍ୟୁରୋ);ସୁରେଶ ମହାପାତ୍ର ହେଲେ CMOର ମୁଖ୍ୟ ଉପଦେଷ୍ଟା। ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ସୁରେଶ ମହାପାତ୍ର। ନୂଆ ଦାୟିତ୍ୱ ମିଳିବା ପରେ OERC ଅଧ୍ୟକ୍ଷ ପଦରୁ ଦେଇଛନ୍ତି ଇସ୍ତଫା। ଓଇଆରସି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ତାଙ୍କର ଅନୁରୋଧକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏହାସହିତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ମିଳିଛି । ଗତ ଫେବ୍ରୁଆରୀ ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ସୁରେଶ ମହାପାତ୍ର । ତା’ପରେ ତାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା ।ଆର୍.ବାଲକ୍ରୀଷ୍ଣନଙ୍କୁ ସିଏମ୍ଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ମୁକ୍ତି ଦିଆଯାଇଛି । ସ୍ପେଶାଲ ଇନିସିଏଟିଭ୍ ମୁଖ୍ୟ ପରାମର୍ଶଦାତା ରହିବେ ଆର୍. ବାଲକ୍ରୀଷ୍ଣନ । ସେହିପରି ଅବସରପ୍ରାପ୍ତ ଆଇଏଏସ ଅସିତ୍ ତ୍ରିପାଠୀଙ୍କୁ ପ୍ରମୁଖ ଉପଦେଷ୍ଟା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ସେ କେବଳ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳିଥିବା ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୭ରେ ଶେଷ ହୋଇଥାନ୍ତା । ମାତ୍ର ଅପ୍ରତ୍ୟାଶିତ ଘଟଣାକ୍ରମରେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଓଇଆରସି ଅଧ୍ୟକ୍ଷ ପଦରୁ ଓହରି ଯାଇଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସରକାର ପୂର୍ବରୁ ଶ୍ରୀ ମହାପାତ୍ରଙ୍କର ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳକୁ ଦୁଇଥରରେ ଏକବର୍ଷ ବୃଦ୍ଧି କରିଥିଲେ । ଏହାସହିତ ତାଙ୍କୁ ଦୃଷ୍ଟିରେ ରଖି ଓଇଆରସି ଅଧ୍ୟକ୍ଷ ପଦ ମଧ୍ୟ ପ୍ରାୟ ଏକବର୍ଷ ଧରି ଖାଲି ରଖିଥିଲେ । ସେ ମାତ୍ର ୮ମାସ ଓଇଆରସି ଅଧ୍ୟକ୍ଷ ପଦରେ କାର୍ଯ୍ୟ କରି ଇସ୍ତଫା ଦେଇଛନ୍ତି । ଆଗକୁ ବିଦ୍ୟୁତ ଟାରିଫ ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଓଇଆରସି ଅଧ୍ୟକ୍ଷ ପଦରୁ ଶ୍ରୀ ମହାପାତ୍ରଙ୍କ ଇସ୍ତଫାକୁ ଅନୁମୋଦନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛାଇ ନାହାନ୍ତି । ତାଙ୍କୁ ପୁରସ୍କାର ସ୍ୱରୂପ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ଚର୍ଚ୍ଚା ହେଉଛି, ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ପୁଣିଥରେ ପ୍ରାର୍ଥୀ ହେବାକୁ ଅନିଚ୍ଛୁକ ଥିବାରୁ ଶ୍ରୀ ମହାପାତ୍ରଙ୍କୁ ପୁରୀ ଆସନରୁ ବିଜେଡି ପ୍ରାର୍ଥୀ କରିବ । ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଓହରିବା ନିମନ୍ତେ ସବୁଜ ସଙ୍କେତ ଦିଆଯାଇଛି ।