ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ : ୪୧ଟି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଏବଂ ତାରା ଦେବୀଙ୍କ ଦର୍ଶନ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଏହାପରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟରେ ୫ଟି ନୂତନ ଶିଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ୫ଟି ଶିଳ୍ପ ପ୍ରାୟ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସହ ପ୍ରାୟ ୧୫ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଛତ୍ରପୁର ପରେ ଟାଟା ଏସଇଜାଡ୍ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଦୀପକ ଫଟିଲାଇଜର ପ୍ଲାଣ୍ଟକୁ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମାଁ ତାରାଦେବୀଙ୍କ ଯାତ୍ରାରେ ପହଞ୍ଚି ମା’ଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଆଉ ଗଞ୍ଜାମ ହେବ ଏହି ଶିଳ୍ପାୟନର ମୂଳଦୂଆ । ଶିଳ୍ପାୟନ ବଢ଼ିବା ସହ ବଢ଼ିବ ବାଣିଜ୍ୟ ଆଉ ଏହାର ରାଜଧାନୀ ହେବ ଗଞ୍ଜାମ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ପ୍ରଥମେ ଜିଲ୍ଲାର ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠର ଉଦଘାଟନ କରିଥିଲେ । ଉତ୍କଳ ପ୍ରଦେଶ ଗଠନରେ ଯୋଗ ଦେଇଥିବା ୬୦ ବରପୁତ୍ରଙ୍କ ମଧ୍ୟରୁ ୪୧ଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚି ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୨ଟି ଶିଳାନ୍ୟାସରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଯେଉଁଥିରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ନିଯୁକ୍ତି ପାଇପାରିବେ । ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ନ ପୁରୁଣୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଆସୁଛନ୍ତି । ବିଶେଷ କରି ଶିଳ୍ପାୟନର ଅଭିବୃଦ୍ଧି ହୋଇ ଚାଲିଛି ଓଡ଼ିଶାରେ । ଶିଳ୍ପାୟନ ବଢ଼ିବା ଦ୍ବାରା ବାଣିଜ୍ୟ ବଢ଼ିବ ଯାହାଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ । ନୂତନ ସରକାର ମାତ୍ର ୫ ମାସ ମଧ୍ୟରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୯୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଥିବା ୧୨ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଟା ଏସଇଜାଡ୍ ପ୍ଲାଣ୍ଟ ମଧ୍ୟରେ ହେବାକୁ ଯାଉଛି । ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ୫ଟି ପ୍ରକଳ୍ପ ଶେଷ ହୋଇଯିବ । ଏହି ୫ଟି ପ୍ରକଳ୍ପ ମଧ୍ୟରେ ଏଚ୍ଏଚ୍ ପି ପ୍ରାଇଭେଟ୍ ଲିମିଟେଡ଼ ୮୦ ଏକର ଜମିରେ ଓ ଓକିଅର ଏନର୍ଜି ଗୋପାଳପୁର ୱାନ ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ଗ୍ରୀନ ହାଇଡ୍ରୋଜେନ ତଥା ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ ୮୪ ଏକର ଜମିରେ ଓ ୱାଲର୍ଡ ଗ୍ରୀନ ଏନେର୍ଜି ପ୍ରାଇଭେଟ୍ ଲିମିଟେଡ଼ ୫୦ ଏକର ଜମିରେ ଏକ ସୌର ସେଲ ଏବଂ ମଡ୍ୟୁଲ ଉତ୍ପାଦନ ୟୁନିଟ ଏବଂ ସୁପରଫର୍ମ ଲିମିଟେଡ଼ ୬୦ ଏକର ଜମିରେ ଏକ ସ୍ପେସିଆଲଟି କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯାଉଛି ।

ଏହି ୫ଟି ଶିଳ୍ପ ମୁଖ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଶିଳ୍ପ ଓ ଏହାର କାମ ସମ୍ପର୍କରେ କଥା ହୋଇଥିଲେ । ସମସ୍ତ ଶିଳ୍ପ ଗୁଡ଼ିକ କୈାଣସି ପ୍ରଦୂଷଣ ହେବ ନାହିଁ। ସମସ୍ତ ପ୍ରକାରର ଅତ୍ୟାଧୁନିକ ଉପାୟରେ ଶିଳ୍ପ ପରିଚାଳିତ ହେବ । ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏହି ଶିଳ୍ପ ଦ୍ଵାରା କୈାଣସି ଅସୁବିଧା ହେବ ନାହିଁ । ଟାଟା ଏସଇଜାଡ୍ ପ୍ଲାଣ୍ଟ ପରିସରରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଠିକ ସମୟରେ ଶିଳ୍ପକୁ ଶେଷ କରି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭିନ୍ନ ଶିଳ୍ପରୁ ଆସିଥିବା ମୁଖ୍ୟ ମାନେ ।

ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ଦୁଇ ସାଂସଦ ଓ ବହୁ ବିଧାୟକ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here