ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଆଶାକର୍ମୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଢିଲା ଆଶାକର୍ମୀଙ୍କର ମାସିକ ପାରିଶ୍ରମିକ । ଏହା ସହିତ ଆଶାକର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ରାଜ୍ୟର ୪୯,୫୨୨ ଆଶାକର୍ମୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ ।
ନୂତନ ଘୋଷଣା ଅନୁଯାୟୀ, ଆଶାକର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିଲେ । ବର୍ତ୍ତମାନ ୧ ଲକ୍ଷ ଟଙ୍କା ପାଇବେ । ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯.୪୩ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ।
ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ ।ଆଶା କର୍ମୀମାନେ ରାଜ୍ୟରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସେମାନେ ସଫଳ ଭାବେ ସଚେତନ କରିପାରୁଛନ୍ତି ।
ଏହା ସହିତ ଟୀକାକରଣ ଓ ଇଷ୍ଟିଚ୍ୟୁସନାଲ ଡେଲିଭରି କ୍ଷେତ୍ରରେ ମଧ୍ୟ ଆଶା କର୍ମୀମାନେ ଗୁରୁ ଦାୟିତ୍ୱ ବହନ କରୁଛନ୍ତି । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଆଶାକର୍ମୀ ତଥା ସେମାନଙ୍କ ସଙ୍ଗଠନ ତାଙ୍କୁ ଭେଟିଥିଲେ । ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହା ଉପେର ବିଚାର ବିମର୍ଷ କରି ରାଜ୍ୟ ସରକାର ନିଷ୍ପତ୍ତି ନେଇ ଆଶାକର୍ମୀଙ୍କ ମାସିକ ଦରମା ବୃଦ୍ଧି କରିଛନ୍ତି ।