ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ୪୨୦କୋଟି ଟଙ୍କାର ଭେଟି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଶୋଇ ବ୍ଲକରେ ଏକ +୨ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଶୋଇ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାଁ’ରେ ନାମିତ ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେଥିରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏନେଇ ବିଶୋଇ ମିନିଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,”ମୟୂରଭଞ୍ଜ ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଲା । ଆଜି ଦିନଟି ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍‌ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼଼ିଶା ଗଠନ ପାଇଁ ମୂଳଦୁଆ ପକାଇବ । ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି । ”

ତେବେ ଏହିକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ହିତାଧିକାରୀଙ୍କୁ ମୃତ୍ୟୁ ସହାୟତା ରାଶି, ଶ୍ରମିକମାନଙ୍କ କନ୍ୟାମାନଙ୍କ ପାଇଁ ବିବାହ ପ୍ରୋତ୍ସାହନ ରାଶି ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here