ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଗୋଟିଏ ଦିନରେ ୪ଟି ଜିଲ୍ଲାରେ ମାରାଥନ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି କଠୋର ସମାଲୋଚନା କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସେପଟେ ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ । ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତିର ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି ।
ଓଡ଼ିଶାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର, ପୁଣି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବିଜୁ ଜନତା ଦଳର ୧ ନମ୍ବର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଆଜି ଗୋଟିଏ ଦିନରେ ୪ଟି ଜିଲ୍ଲା ଗସ୍ତ କରି ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ଲମ୍ବା ଭାଷଣ ନଥିଲା । ବ୍ୟକ୍ତିଗତ ଆରୋପ, ପ୍ରତ୍ୟାରୋପ ବି ନଥିଲା ।
ମାତ୍ର ଗୋଟିଏ ମିନିଟରେ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନୀ ଭାଷଣକୁ ସୀମିତ ରଖିବା ସହ ଲୋକଙ୍କୁ କାମର ହିସାବ ଦେଇ ମତାମତ ଲୋଡିଥିଲେ । ଦଳୀୟ ଚିହ୍ନରେ ଭୋଟ୍ ଦେଇ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଥିଲେ ନବୀନ । ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନାର ସଫଳତାର କଥା ଗୋଟି ଗୋଟି କରି ଜନତାଙ୍କୁ ପଚାରିଥିଲେ ପାଣ୍ଡିଆନ୍ । ରାଜ୍ୟରେ ବିଏସକେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ର ବୃତ୍ତି ବ୍ୟବସ୍ଥା , ଚାଷୀଙ୍କ ପାଇଁ କାଳିଆ ଯୋଜନା ସଫଳ ସଫଳ ହୋଇଛି କି ନାହିଁ ବୋଲି ଜନତାଙ୍କୁ ପଚାରିଥିଲେ ପାଣ୍ଡିଆନ୍ ।
ଏହାପରେ ନିଜ ପାଇଁ ଜନତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ , ଶଂଖ ଚିହ୍ନ ଓ କୋରାପୁଟରେ ବିଜେଡିର ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ଆଶୀର୍ବାଦ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ।ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ୫ ବର୍ଷ ପରେ ପୁଣି ସୁଯୋଗ ଆସିଛି ନିଜ ମତ ସାବ୍ୟସ୍ତ କରିବା ପାଇଁ । ଏହାକୁ ହାତଛଡା ନକରି ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ । ରାଜ୍ୟର ବିକାଶ ପାଇଁ ସବୁବେଳେ ଚେଷ୍ଟା କରିଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍ ।
ସେପଟେ ଦକ୍ଷିଣ ଓଡି଼ଶାରୁ ସମାଲୋଚନା, ପଶ୍ଚିମ ଓଡ଼ିଶାରେ ଜବାବ । ନବରଙ୍ଗପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ସମାଲୋଚନା କରିଥିବାବେଳେ ଟିଟିଲାଗଡରେ ଏହାର କଡା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରରୁ ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ।