ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଭୁବନେଶ୍ବର ୟୁନିଟ୍‌-୨ସ୍ଥିତ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୧ତମ ପାଳି। ହଜାରେ ଅଭିଯୋଗକାରୀ ଅନ୍‍ଲାଇନ୍‌ରେ ନାମ ପଞ୍ଜୀକୃତ କରିଥିଲେ।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ୬ ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅସାଧ୍ୟ ଓ ଦୁରାରୋଗ୍ୟ ପୀଡ଼ିତ ବ୍ୟକ୍ତିଙ୍କୁ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୪ଜଣଙ୍କୁ ସାଢ଼େ ୧୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳେ ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଲୋକଙ୍କୁ ନିରନ୍ତର ନ୍ୟାୟ ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିଛି। ସରକାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଏହା ମାଧ୍ୟମରେ ଗରିବ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଆଞ୍ଚଳିକସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅପରପକ୍ଷରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୦ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୨୩୪ଟି ଅଭିଯୋଗ ଭିତରୁ ୮୫% ବା ୮,୭୧୩ଟି ଅଭିଯୋଗର ସମାଧାନ କରାଯାଇଛି।

ବକେୟା ଅଭିଯୋଗଗୁଡ଼ିକୁ ସମାଧାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର କହିଛନ୍ତି। ଜନଶୁଣାଣି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଓ ଅନ୍ୟ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here