ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡ଼ିକୁ ଲାଗିଛି ସିନେଷ୍ଟାର ଝଟକା l ୧୯ବେଳେ ହାଉଯାଉ ହେଉଥିଲେ, ହେଲେ ୨୪ ବେଳକୁ ସବୁ ବାଏ ବାଏ କରିଦେଲେ । ଆଗେ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ରାୟଙ୍କ ପରେ ଦିନକରେ ଏକାଥରେ ଦୁଇ ଦୁଇଜଣ ଓଲିଉଡ୍ ଅଭିନେତା ଆକାଶଦାସ ନାୟକ ଓ ଅନୁଭବ ମହାନ୍ତି ବି ବିଜେଡିକୁ କରିଛନ୍ତି ଅଲବିଦା । ଗତ ନିର୍ବାଚନ ବେଳେ ଯେଉଁଭଳି ଓଲିଉଡ୍ ଷ୍ଟାରଙ୍କୁ ଦଳ ଡାକି ମିଶାଇଥିଲା ଓ ଷ୍ଟାର୍ ପ୍ରଚାରକ ସହ କ୍ରାଉଡ୍ ପୁଲର ବି ସଜାଇଥିଲା। ଏବେ କାହିଁକି ସେମାନଙ୍କୁ ହତାଦର କଲା ?
୨୦୧୪ରେ ଅଭିନେତା ପପୁ ପମପମ୍ଙ୍କୁ ବିଧାୟକ ଓ ୨୦୧୯ରେ ଅନୁଭବ ମହାନ୍ତିଙ୍କୁ ସାସଂଦ ଟିକେଟ୍ ବି ଦେଇଥିଲା ଦଳ। ସେଥିରୁ କେବଳ ଅନୁଭବ ହିଁ ଜିତିଥିଲେ। ହଠାତ୍ ଅଭିନେତାମାନଙ୍କୁ ଦଳରେ ଅଣଦେଖା କରିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏବେ ବିଜେଡିରେ ମୁନା ଖାଁ ଓ କୁନା ତ୍ରିପାଠୀଙ୍କ ଭଳି କେବଳ ହାତଗଣତି ଦୁଇ ତିନି ଜଣ ସିନେ ଚେହେରା ଅଛନ୍ତି ।ମୁନ୍ନା ଖାଁ, ପ୍ୟାରୀମୋହନ ମହାପାତ୍ର ସଂଗଠନ ଦାୟିତ୍ୱରେ ଥିବାବେଳେ ବିଜେଡିରେ ମିଶିଥିଲେ । ଦୀର୍ଘଦିନର ଆନୁଗତ୍ୟ ପାଇଁ ଦଳ ତାଙ୍କୁ ରାଜ୍ୟସଭା ସାଂସଦ କରିଛି ।
ଏଣେ ଯାଜପୁର ବିଜେଡି ସଂଗଠନକୁ ହାତରେ ରଖିଥିବା ବବି ଦାସ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଯିବାର ଦିନେ ନ ଯାଉଣୁ ଜିଲ୍ଲା ସଂଗଠନରେ ଘଳିଆ ପଡ଼ିଲାଣି । ତେଣୁ ଆଗକୁ ବିଜେଡି କାହାକୁ ଆଉ ପୋଷ୍ଟର ବୟ ଓ କ୍ରାଉଡପୁଲର୍ ସଜାଇ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ପ୍ରଶ୍ନ ଉଠିଥିବାବେଳେ ଦଳର ସଫେଇ- ଏଥର ନିର୍ବାଚନ ପ୍ରଚାର ଅନ୍ୟ କୌଣସି ଚେହେରାର ଲୋଡ଼ା ନାହିଁ । କେବଳ ନବୀନଙ୍କ ଲୋକପ୍ରିୟତାକୁ ନେଇ ଚାଲିବ। ବିଜେଡିଠାରୁ ସଂପର୍କ ଛିନ୍ନ କରୁଥିବା ଓଲିଉଡ୍ ସିନେ ଷ୍ଟାରମାନେ ଏବେ ସିଧା ପଦ୍ମ ଶିବିର ମୁହାଁ ହେବାରେ ଲାଗିଛନ୍ତି। ଏବେ ଦେଖିବାର କଥା ବିଜେପି ଏହି ତାରକା ନେତାମାନଙ୍କୁ ନେଇ କିଭଳି ଫାଇଦା ପାଉଛି ।