ମିଳିଲା ସ୍ପଷ୍ଟ ସଙ୍କେତ : ଗୋଟିଏ ମଞ୍ଚରେ ବସିବେ ବିଜେଡି-ବିଜେପି : ମେଣ୍ଟ ପକ୍କା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ, ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ।ସେତେବେଳେ ହୁଏତ ଗୋଟିଏ ମଞ୍ଚରେ ବିଜେଡି ଓ ବିଜେଡି ମିଳିତ ଭାବେ ମେଣ୍ଟ ହେବାର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ସିଟ୍ ଭାଗବଣ୍ଟା ମଧ୍ୟ ପ୍ରାଥମିକ ସ୍ତରରେ ଛିଣ୍ଡିଛି । ବିଜେପି ଭାଗରେ ୧୪ରୁ ଅଧିକ ଲୋକସିଟ୍ ପଡ଼ିପାରେ ।

ମୋଦିଙ୍କ ମିଶନ ୪୦୦ ପାର୍ କୁ ଲକ୍ଷ୍ୟ ରଖି ଏପରି ରଣନୀତି ହୋଇଥିବା ସୂଚନା ମିଳିଛି । ବିଜେଡିକୁ ମିଳିବ ୭ଟି । ସେହିପରି ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢ଼ିବ। ବୈଠକରେ ଉପସ୍ଥିତ ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି, ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଆମେ ଏକାକୀ ଲଢ଼ିବା ସପକ୍ଷରେ ମତ ଦେଇଛୁ। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନେତୃତ୍ୱ ।ସେହିପରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦୁଇ ରାଉଣ୍ଡ ବୈଠକ ପରେ ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି । ରାଜ୍ୟର ସ୍ୱାର୍ଥ ପାଇଁ ଯାହା ଦରକାର, ସବୁ କିଛି କରିବ ବିଜେଡି ।

ବିଧାୟକ ଅରୁଣ ସାହୁ ମଧ୍ୟ କହିଛନ୍ତି, ରାଜ୍ୟର ସ୍ୱାର୍ଥ ପାଇଁ ଦଳର ମୁଖିଆ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ ।୨୦୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ । ଏହି ସମୟ ସୁଦ୍ଧା ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ମାଇଲ୍ଖୁଂଟ ହାସଲ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବୃହତର ସ୍ୱାର୍ଥ ପାଇଁ ବିଜେଡି ସବୁକିଛି କରିବ ବୋଲି ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ।

LEAVE A REPLY

Please enter your comment!
Please enter your name here