ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏଣିକି ଆଉ ଥାନାରେ ପୁରୁଣା ମାମଲା ପଡ଼ିରହିବ ନାହିଁ। ପୂର୍ବରୁ ପଡ଼ିରହିଥିବା ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ହେବ। ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି। ଭୁବନେଶ୍ବର କମିସନରେଟ୍ ପୁଲିସରେ ବିଭିନ୍ନ ଥାନାରେ ୧୦ହଜାରରୁ ଊର୍ଧ୍ବ ପୁରୁଣା ମାମଲା ପଡ଼ିରହିଛି। ଫଳରେ ଲୋକେ ନ୍ୟାୟ ପାଇବା ବହୁ ବିଳମ୍ବିତ ହେଲାଣି। ତେଣୁ ମାସକୁ ଅତିକମ୍ରେ ୨ ହଜାର ମାମଲାର ତଦନ୍ତ ଶେଷ କରିବା ସହ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି। ଏଥିପାଇଁ ସମସ୍ତ ଥାନାକୁ ଓ ଜୋନ୍ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଡିସିପିମାନେ ସବୁ ଜୋନ୍ର ପୁରୁଣା ମାମଲା ତଦନ୍ତ ବାବଦରେ ତଦାରଖ କରିବେ। ଠିକଣା ସମୟରେ ତଦନ୍ତ ଶେଷ କରିଥିବା ଅଧିକାରୀଙ୍କୁ ପୁରସ୍କୃତ କରାଯିବ ଓ ଯେଉଁମାନେ ଏଥିରେ ଅସଫଳ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡିସିପି ଶ୍ରୀ ମୀନାଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ଏବେ ପୁଲିସ ମହଲରେ ଛନକା ପଶିଛି। ତେବେ ପ୍ରତି ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସରେ ପାଖାପାଖି ୧୨୩୨ରୁ ଅଧିକ ମାମଲା ରୁଜୁ ହେଉଛି। ମାର୍ଚ୍ଚ ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ୧୩୦୦ ମାମଲାର ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏମିତି ହିସାବରେ ପ୍ରତିମାସରେ କିଛି ନା କିଛି ମାମଲା ସେମିତି ଗଡ଼ୁଛି। ଚାର୍ଜସିଟ୍ ହୋଇପାରୁନାହିଁ। ବିଶେଷକରି ପୁରୁଣା ମାମଲା ଗଡ଼ୁଥିବାରୁ ଲୋକେ ନ୍ୟାୟ ପାଇପାରୁନାହାନ୍ତି। ତେଣୁ ଆଗକୁ ପ୍ରତି ମାସରେ ୨୦୦୦ରୁ ଅଧିକ ମାମଲାର ତଦନ୍ତ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ପ୍ରତି ଜୋନ୍ରେ ଜଣେ ଲେଖାଏ ଆଡିସ୍ନାଲ୍ ଡିସିପିଙ୍କୁ ପରାମର୍ଶଦାତା ଭାବେ ଦାୟିତ୍ବ ଦିଆଯାଇଛି। ସେମାନେ ନିଜ ନିଜ ଜୋନ୍ର ସମସ୍ତ ତଦନ୍ତକାରୀ ଅଫିସରଙ୍କୁ ଗାଇଡ୍ କରିବେ। ସେମାନଙ୍କ ପାଖରେ ପଡ଼ି ରହିଥିବା ମାମଲାର ତଦନ୍ତକୁ କିଭଳି ତ୍ବରାନ୍ବିତ କରାଯାଇ ଚାର୍ଜସିଟ୍ ଦାଖଲ ହେବ, ସେ ଉପରେ ଗୁରୁତ୍ବ ଦେବେ। ସେହିଭଳି ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରତ୍ୟେକ ଆଡିସ୍ନାଲ ଡିସିପି, ଏସିପି ଓ ଇନ୍ସପେକ୍ଟର୍ମାନେ ଏଦିଗରେ ତଦନ୍ତ ଅଧିକାରୀମାନଙ୍କ ମେଣ୍ଟର୍ ବା ପରାମର୍ଶଦାତା ହିସାବରେ କାର୍ଯ୍ୟ କରିବେ। ଯେଉଁ ଅଧିକାରୀଙ୍କ ନିକଟରେ ସର୍ବାଧିକ ମାମଲା ପଡ଼ିରହିଛି, ସେମାନଙ୍କୁ ଅନ୍ୟ ବରିଷ୍ଠ ଅଧିକାରୀମାନେ ସହଯୋଗ କରିବେ। ଏଥିପାଇଁ ୧୫ଜଣ ଅଧିକାରୀଙ୍କୁ ପରାମର୍ଶଦାତା ଭାବେ ବଛାଯାଇଛି ଏବଂ ସେମାନେ ମାମଲାର ତଦାରଖ କରିବେ।
ତଦନ୍ତ ଅଧିକାରୀଙ୍କୁ ଉତ୍ସାହିତ କରିବା ପାଇଁ ଭଲ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ପୁରସ୍କାର ରାଶି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି l ଆଗକୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ଏବଂ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ପୁରୁଣା ମାମଲା ସଂଖ୍ୟା ହ୍ରାସ କରାଯିବ ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି l