ଜିଲ୍ଲା ପ୍ରଶାସନ ଓ ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା  

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଫଳାଫଳରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ଗଜପତି ଜିଲ୍ଲା। ଏକ ଉପାନ୍ତ ଓ ପଛୁଆ ଜିଲ୍ଲା ଭାବେ ଗଜପତି ଜିଲ୍ଲା ପରିଗଣିତ ହେଉଥିବାବେଳେ ଆଜି ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଆଗକୁ ବଢ଼ିବାରେ ଲାଗିଛି। ଏହି ଅବସରରେ ପୃଥକ ପୃଥକ ଭାବରେ ଜିଲ୍ଲା ପ୍ରଶାସନ ଓ ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ.ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶଙ୍କର କେରକେଟା, ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସ୍ବାଇଁ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସଲମାନ ରାଇକା ତଥା ବହୁ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ସର୍ବାଧିକ ନମ୍ବର ରଖି ଜିଲ୍ଲାକୁ ଗୌରବ ଆଣିଥିବା ୧୫ ଜଣ ଉଦୀୟମାନ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାରର ଅନ୍ତର୍ନିହିତ ଦକ୍ଷତା ଅଭିବୃଦ୍ଧି ଦିଗରେ ସମସ୍ତଙ୍କ ସହଯୋଗ ଓ ପ୍ରୟାସ ରହିବା ସହ ଏଥିରେ ଅବିଭାବକ ଓ ବୁଦ୍ଧିଜୀବୀ ମହଲରେ ଯଥେଷ୍ଟ ଦାୟିତ୍ବବାନ ହେବାକୁ ଆହ୍ବାନ ଦିଆଯାଇଛି। ତେବେ ମନଦେଇ ପାଠ ପଢ଼ିବା ସହ ବହୁ ପରିଶ୍ରମ କଲେ ସଫଳ ନିଶ୍ଚୟ ମିଳିବ ବୋଲି କହିଛନ୍ତି । ସରକାରଙ୍କ ଯୋଶୋଦା ଯୋଜନାରେ ପିତା ମାତାଙ୍କୁ ହରାଇଥିବା କୃତି ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ସହାୟତାରେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଘୋଷଣା କରାଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମନେ ରଖିବା ଉଚିତ ଯେ ଆମ ଅସ୍ତିତ୍ବ ଆମ ପିତାମାତା, ଆମ ଗାଁ, ଜନ୍ମମାଟି, ଆମ ଜିଲ୍ଲା ରାଜ୍ୟ ତଥା ଆମ ଦେଶ। ସେମାନଙ୍କ ସମ୍ମାନ ସବୁସମୟରେ ବଜାୟ ରଖିବାକୁ ସର୍ବଦା ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here