ବିପ୍ଲବୀ ପରିକ୍ରମା ବ୍ୟୁରୋ :– ଗତକାଲି ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ, ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ ପ୍ରାର୍ଥୀ ଘୋଷଣା କରିଛି । ତେବେ ଦଳର ଟାଣୁଆ ନେତା ଜୟଦେବା ଜେନାଙ୍କୁ ଦଳ ଏଥର ଆନନ୍ଦପୁରରୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରପୋଖରୀରୁ ପ୍ରାର୍ଥୀ କରିଛି ଦଳ । ତା ସହିତ ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ସୁଜାତା ମହାପାତ୍ର, ଜଟଣୀରୁ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । ଅନ୍ୟପକ୍ଷରେ ଗତକାଲି ୯ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା।
ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ । ସେହିପରି ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱାଜଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ। ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଘୋଷଣା କରିଥିବା ୪୭ ଆସନ ମଧ୍ୟରୁ ୫ ବିଧାୟକଙ୍କୁ ରିପିଟ୍ କରିଥିଲା ଦଳ। କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଦେଇଥିଲା ଟିକେଟ୍।
ଖୋଦ୍ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ। ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ। ସେହିପରି ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ ନାଁ ଘୋଷଣା କରିଥିଲା କଂଗ୍ରେସ । ତେବେ ଆଉ ୭୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।