ସାହୁ ବ୍ରଦର୍ସଙ୍କ କଳାଟଙ୍କା ମାମଲାରେ ଜୁଡିସିଆଲ ତଦନ୍ତ ଦାବି କଲା କଂଗ୍ରେସ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର ଏନେଇ ଏସଆଇଟି ଗଠନ କରି ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ସମସ୍ତ ଘଟଣାର ତଦନ୍ତ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି । କଂଗ୍ରେସ ଅଭିଯୋଗ କରିଛି ଯେ ଉଭୟ ବିଜେପି ଓ ବିଜେଡିର ନେତାମାନେ ଏହି ମଦ ବ୍ୟବସାୟୀଙ୍କ ସଂଗଠନରେ ଲାଭାର୍ଥୀ ଥିଲେ । ତେଣୁ ବିଚାରବିଭାଗୀୟ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିପାରିବ ବୋଲି ସେ କହିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆୟକର ବିଭାଗ ଦ୍ୱାରା ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗିର ଇତ୍ୟାଦି ଜିଲ୍ଲାରେ ମଦ ବ୍ୟବସାୟୀଙ୍କ ଅଫିସ, କାରଖାନା, କର୍ମଚାରୀମାନଙ୍କ ଘର ଏବଂ ସେମାନଙ୍କ ବିଭିନ୍ନ ଠିକଣାରେ ଏକାଥରକେ ଚଢ଼ାଉ କରି ୩୦୦ କୋଟି ଟଙ୍କାରୁ ଅଧିକ ଜବତ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଦୀର୍ଘ ଚାରିଦିନ ପରେ ମଧ୍ୟ ଗଣତି ଏବଂ ଚଢ଼ାଉ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ । ଆୟକର ବିଭାଗ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ତରରେ ପ୍ରକୃତରେ କେତେ କୋଟି ଟଙ୍କା ଜବତ କରାଯାଇଛି ଏବଂ କେଉଁ କେଉ ମଦବ୍ୟବସାୟୀଙ୍କ ପାଖରୁ କେତେ କୋଟି ଟଙ୍କା ଜବତ କରାଯାଇଛି ତାହାକୁ ପ୍ରକାଶ କରାଯାଇ ନାହିଁ । ଓଡ଼ିଶାର ମଦ ବ୍ୟବସାୟୀ ରାଜକିଶୋର ସାହୁ, ଦେବରାଜ ସାହୁ, ବଳଦେବ ସାହୁ ଆଣ୍ଡ ସନ୍ସ, କାମେଶ୍ୱର ତିୱାରୀ, ରାଜକିଶୋର ଜୟସୁଆଲ ଓ ଅନ୍ୟମାନଙ୍କ ମଦ କାରଖାନା ଉପରେ ଚଢ଼ାଉ ଜାରି ରହିଛି । ଏହି କଳାଟଙ୍କାର ପ୍ରକୃତ ଉତ୍ସ କଣ ଏବଂ କିଭଳି ଏତେଗୁଡ଼ିଏ କଳାଟଙ୍କା ଏହି ମଦବ୍ୟବସାୟୀମାନେ କାହିଁକି ଠୁଳ କରିଥିଲେ ଏହାର ସତ୍ୟାସତ୍ୟ ରାଜ୍ୟବାସୀଙ୍କୁ ଜଣାଯାଉ ବୋଲି କଂଗ୍ରେସ ଦାବି କରୁଛି ।

LEAVE A REPLY

Please enter your comment!
Please enter your name here