ପୁରୀ ନୂଆ ବିମାନବନ୍ଦର ନିର୍ମାଣ, ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ, ଉପକୃତ ହେବେ ଲକ୍ଷ ଲକ୍ଷ ଭକ୍ତ 

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟାରେ ନୂଆ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜରପୁ ଆଜି ଏହି ଦୁଇଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି । ଭାରତର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ । ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଦେଶ ତଥା ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର ନିଷ୍ପତ୍ତି ହୋଇଛି । ଫଳରେ ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ । ଏହି ବିମାନ ବନ୍ଦର ପୁରୀ ଏବଂ ଭାରତର ପ୍ରମୁଖ ମହାନଗରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ ।

 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ରର ମଞ୍ଜୁରୀ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଷ୍ପତ୍ତି ଫଳରେ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରକୁ ବଳ ମିଳିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହିତ ଆଞ୍ଚଳିକ ବିକାଶ ଏବଂ ଅଞ୍ଚଳକୁ ସାମଗ୍ରିକ ଯୋଗାଯଗ କ୍ଷେତ୍ରରେ ଅନେକ ସୁଧାର ଆସିଯିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଟାର୍ଗେଟ ରଖାଯାଇଛି । ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ ୨୨୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କର ଯାତାୟତର ବ୍ୟବସ୍ଥା ରହିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ପୁରୀକୁ ଅଧିକରୁ ଅଧିକ ପର୍ଯ୍ୟଟକ ଏବଂ ଭକ୍ତ ଆସିବା ସହ ପର୍ଯ୍ୟଟନ ଓ ଅର୍ଥନୀତି କ୍ଷେତ୍ରରେ ପୁରୀ ବେଶ ସମୃଦ୍ଧ ହେବ l

LEAVE A REPLY

Please enter your comment!
Please enter your name here