ବିହାର ( ବିପ୍ଲବୀ ପରିକ୍ରମା ) : ବିହାରରେ ଏକାଡେମିକ୍ କ୍ୟାଲେଣ୍ଡରକୁ ନେଇ ବିବାଦ l ୨୦୨୪ ଶିକ୍ଷାବର୍ଷ ପାଇଁ ବିହାର ସରକାର ଛୁଟି ତାଲିକା ଘୋଷଣା କରିଥିବାବେଳେ,ହିନ୍ଦୁ ପର୍ବର ଛୁଟିକୁ ହ୍ରାସ କରି ମୁସଲିମ୍ ପର୍ବର ଛୁଟିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ହିନ୍ଦୁ ପର୍ବ ଛୁଟି ପରିବର୍ତ୍ତେ ମୁସଲିମ୍ ପର୍ବର ଛୁଟିକୁ ବୃଦ୍ଧି କରିଥିବାରୁ ରାଜନୀତି ତୀବ୍ର ହୋଇଛି। ଏହି ନିଷ୍ପତ୍ତିକୁ ନେଇ ବିହାର ସରକାରଙ୍କୁ ଘେରିଛନ୍ତି ବିରୋଧି। ନୀତିଶ କୁମାରଙ୍କ ନେତୃତ୍ୱାଧିନ ସରକାର ତୁଷ୍ଟିକରଣ ରାଜନୀତି କରି ହିନ୍ଦୁ ପର୍ବପର୍ବାଣୀରେ ଭେଦଭାବ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା। ତେବେ ନିଷ୍ପତି ଅନୁଯାୟୀ ଏଣିକି ବିହାରରେ ରାମନବମୀ, ଶିବରାତ୍ରୀ, ଜନ୍ମାଷ୍ଟମୀ ଏବଂ ରକ୍ଷାବନ୍ଧନରେ ମିଳିବନି ସ୍କୁଲ ପିଲାଙ୍କୁ କୌଣସି ଛୁଟି। ଏହାବ୍ୟତୀତ ମକରସଂକ୍ରାନ୍ତି, ତିଜ୍, ବିଶ୍ୱକର୍ମା ପୂଜା ଏବଂ ଗାନ୍ଧୀଜୟନ୍ତୀ ସମେତ ଅନ୍ୟାନ୍ୟ ପର୍ବପର୍ବାଣୀର ଛୁଟିକୁ ମଧ୍ୟ ବାତିଲ୍ କରିଥିବାବେଳେ ଏହା ପରିବର୍ତ୍ତେ ଇଦ୍ ପାଇଁ ତିନି ଦିନ ଏବଂ ବକ୍ରି-ଇଦ୍ ପାଇଁ ତିନି ଦିନ ଛୁଟି ବଢାଇଛନ୍ତି ବିହାର ସରକାର। ଗାନ୍ଧୀଜୟନ୍ତୀରେ ଛୁଟି ପରିବର୍ତ୍ତେ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେବଳ ଏତିକି ନୁହେଁ, କ୍ୟାଲେଣ୍ଡରରେ ଗ୍ରୀଷ୍ମ ଛୁଟି କେବଳ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଛି। ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ଆସିବାକୁ ପଡ଼ିବ। ସେମାନେ ଗୁରୁତ୍ୱପୂର୍ଣ୍ଣ ଏକାଡ଼େମିକ୍ କାର୍ଯ୍ୟ ଏବଂ ଅଫିସ୍ କାମ କରିବେ ବୋଲି କୁହାଯାଇଛି। ବିହାର ସରକାରଙ୍କ କ୍ୟାଲେଣ୍ଡର ଛୁଟିରେ ହିନ୍ଦୁ ପର୍ବକୁ କମାଇ ଦିଆଯାଇଥିବା ବେଳେ, ମୁସଲମାନ ପର୍ବ ପାଇଁ ଛୁଟିକୁ ବୃଦ୍ଧି କରାଯାଇଛି। ଯାହାକୁ ନେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ବିହାର ସରକାରଙ୍କ ନୀତିକୁ, ବିରୋଧୀ ହିନ୍ଦୁ ବିରୋଧୀ କହି ବର୍ଷି ଥିବାବେଳେ ବିଜେପିକୁ କାଉଣ୍ଟର ଆଟାକ୍ କରିଛନ୍ତି ଉଭୟ ଆରଜେଡ଼ି ଓ ଜେଡ଼ିୟୁ। ଅନ୍ୟପଟେ ଯାହାବି ହେଉନା କାହିଁକି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଦେଶର ଲୋକମାନେ ମଧ୍ୟ ଧର୍ମନିରପେକ୍ଷ ଅଟନ୍ତି। ସେଥିପାଇଁ ଧାର୍ମିକ ପର୍ବ ଗୁଡ଼ିକ ଉପରେ କୌଣସି ସରକାର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଯେତେବେଳେ ଧର୍ମ ରାଜନୀତିରେ ପ୍ରବେଶ କରେ, ଏହା ବିନାଶ ଆଡ଼କୁ ଯାଏ। ତେବେ ଦେଖିବାକୁ ବାକି ରହିଲା , ଛୁଟିକୁ ନେଇ କୁଆଡେ ଯାଉଛି ରାଜନୀତି ।