ବିପ୍ଲବୀ ପରିକ୍ରମା ଡିଜିଟାଲ :-ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ପଲଟିକାଲ୍ ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଆଜି ରାଜାଙ୍କୁ କୋର୍ଟଚାଲାଣ କରାଯିବ। ଗତକାଲି ହାଇକୋର୍ଟ ରାଜା ଓରଫ ସୋମ୍ୟଶଙ୍କର ଚକ୍ରଙ୍କର ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି।
ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତାର ତନାଘନା କରିଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା l