କଟକ ଐତିହାସିକ ବାଲିଯାତ୍ରା ପାଇଲା ଜାତୀୟ ମାନ୍ୟତା

0

କଟକ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ପାଇଁ ଖୁସି ଖବର । ଜାତୀୟ ମାନ୍ୟତା ପାଇଲା କଟକ ଐତିହାସିକ ବାଲିଯାତ୍ରା । ଆଜି ରାଜ୍ୟସଭାରେ ଲିଖିତ ଉତ୍ତରରେ ଅବଗତ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ପୂର୍ବରୁ ଅନେକ ଥର ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ଦାବି ହୋଇଆସୁଥିଲା । ଗତ ମଙ୍ଗଳବାର ରାଜ୍ୟସଭାରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କଟକ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦେବାକୁ ଗୃହରେ ଦାବି କରିଥିଲେ । ଶେଷରେ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା । କେବଳ ରାଜ୍ୟ ନୁହେଁ ଇଣ୍ଡୋନେସିଆରେ ଉଠିଥିଲା ବାଲିଯାତ୍ରା କଥା । ଇଣ୍ଡୋନେସିଆ ଗସ୍ତ ସମୟରେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଐତିହାସିକ ବାଲିଯାତ୍ରା ବିଷୟରେ କହିଥିଲେ । ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଓଡ଼ିଶା ମହୋତ୍ସବ ହଜାର ହଜାର ବର୍ଷ ଧରି ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା, ମାଲେସିଆ ସହ ଭାରତକୁ କିପରି ସଂଯୋଗ କରିଛି ତାହା ଉପରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥା ବଖାଣିଥାଏ କଟକ ବାଲିଯାତ୍ରା । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ସପ୍ତାଏ ପର୍ଯ୍ୟନ୍ତ ଚାଲେ । ଲୋକାରଣ୍ୟ ହୋଇଉଠେ ମହାନଦୀ ପଠା । ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । ହଜାର ହଜାର ଷ୍ଟଲ, ମନରଞ୍ଜନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଏ । ଇତିହାସ କୁହେ, କଳିଙ୍ଗ ରାଜ୍ୟର ସାଧବ ପୁଅ ମାନେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ବୋଇତରେ ଜାଭା, ସୁମିତ୍ରା, ବାର୍ଲି ଭଳି ଦେଶରେ ବାଣିଜ୍ୟ କରୁଥିଲେ । ସେଠାରୁ ବାଣିଜ୍ୟ ସାରି ଫେରିବା ସମୟରେ ମହାନଦୀ ବାଲିରେ ଏକ ମେଳାର ଆୟୋଜନ ହେଉଥିଲା ।

LEAVE A REPLY

Please enter your comment!
Please enter your name here