ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ପୁଲିସ ପାଇଁ ଥିବା ତିନିଟି ପ୍ରମୁଖ ଆହ୍ୱାନ ସଡ଼କ ଦୁର୍ଘଟଣା କମ୍ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ଆଲୋଚନା ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ ପୁଲିସ କାର୍ଯ୍ୟରତ ଅଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ ୨୦୦୦ ନୂତନ ପଦବି ସୃଷ୍ଟି କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ରାଜ୍ୟରେ ୨୦୨୪ରେ ୨୬୩୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ ୧୪ଟି ଥାନା କାର୍ଯ୍ୟରତ ଅଛି। ସାଇବର ଠକେଇରେ ସାଧାରଣ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ଆଉ ୨୦ଟି ନୂତନ ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଥାନାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।