ଓଡ଼ିଶାକୁ ବାତ୍ୟା ଭୟ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଲଘୁଚାପ ପରେ ହିଁ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।ଲଘୁଚାପ ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ହୋଇପାରେ ।

୨୩, ୨୪ ଓ ୨୫ ତାରିଖରେ ବର୍ଷାର ପ୍ରଭାବ ରାଜ୍ୟରେ ବଢିବ ବୋଲି ବିଭାଗ ଆକଳନ କରିଛି । “ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । କିନ୍ତୁ କୌଣସି ୱାର୍ଣ୍ଣିଂ ଏବେ ସୁଦ୍ଧା ଦିଆଯାଇନଥିବାବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟାର କୌଣସି ଆକଳନ କରାଯାଇନାହିଁ, ଚିତ୍ର ସ୍ପଷ୍ଟ ହେଲେ ତାହା ଜଣାଇ ଦିଆଯିବ” ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଅନ୍ୟପଟେ ଆଜି ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।୨୦୧୮ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା ‘ତିତିଲି’, ଆଉ ଏବେ ଠିକ ୬ ବର୍ଷ ପରେ ପୁଣି ଅକ୍ଟୋବର ମାସରେ ହିଁ ଓଡ଼ିଶାକୁ ବାତ୍ୟା ଭୟ, ଯାହାକି ସମସ୍ତଙ୍କ ମନରେ ଏକ ଭୟର ବାତବରଣ ସୃଷ୍ଟି କରାଉଛି l

LEAVE A REPLY

Please enter your comment!
Please enter your name here