ଆଜି ଅପରାହ୍ଣରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ଫେଙ୍ଗଲ୍‌’

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଆଜି ଅପରାହ୍ଣ ସାଢ଼େ ୨ଟାରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଥିବା ବାତ୍ୟା ‘ଫେଙ୍ଗଲ୍‌’ ରାତି ୯ଟା ସୁଦ୍ଧା ପୁଡ଼ୁଚେରିଠାରୁ ୨୩୦ ଓ ଚେନ୍ନାଇଠାରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୩୦ ତାରିଖ ଅପରାହ୍ଣ ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରୀ ମଧ୍ୟରେ କାରାଇକାଲ-ମହାମବଳିପୁରମ୍‌ ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ପବନର ଘଣ୍ଟା ପ୍ରତି ବେଗ ୭୦ରୁ ୮୦ କିମି ରହିବ। ସ୍ଥଳ ବିଶେଷରେ ୯୦ କିମି ବେଗରେ ପବନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

 

ଏହାର ପ୍ରଭାବରେ ଓଡ଼ିଶାରେ ପାଗରେ ପରବର୍ତ୍ତନ ହୋଇଛି। କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। କଟକ, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲା ସମେତ ଭୁବନେଶ୍ୱର ଓ କଟକ ସହରର କିଛି ଅଞ୍ଚଳରେ ହାଲୁକା ତଥା ଝିପିଝିପି ବର୍ଷା ଲାଗିରହିଛି। ଶନିବାର ପୂର୍ବାହ୍ନ ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here