ବିପ୍ଲବୀ ପରିକ୍ରମା ଡିଜିଟାଲ :- ପବିତ୍ର ପଣା ସଂକ୍ରାନ୍ତି ଅବସରରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଛି ମେରୁଯାତ୍ରା । ଗତ ୨୧ ଦିନ ଧରି ତଥା ୧୮ଦିନ, ୧୫ ଦିନ, ୧୩ ଦିନ ଧରି ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଆସୁଥିବା ଦଣ୍ଡନୃତ୍ୟ, ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ କ୍ରମାଗତ ଭାବରେ ଦୈନିକ ଧୂଳିଦଣ୍ଡ , ପାଣିଦଣ୍ଡ , ଅଗ୍ନିଦଣ୍ଡ ଭଳି ୧୬ ପ୍ରକାର ବିଭିନ୍ନ ଦଣ୍ଡ ଭୋଗ କରି ଆସୁଥିବାବେଳେ ମେରୁ ଯାତ୍ରାରେ ଉକ୍ତ ମାନସିକଧାରୀ ଦଣ୍ଡୁଆଙ୍କ ବ୍ରତ ସମାପନ ହୋଇଥାଏ ।
ଚୈତ୍ର ମାସରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ମାନସିକଧାରୀ ଦଣ୍ଡଆଙ୍କ ନୃତ୍ୟରେ ଉତ୍ସବ ମୁଖର ହୋଇପଡିଥାଏ । କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଥିବା ଗଞ୍ଜାମର ଏହି ଦଣ୍ଡନୃତ୍ୟ ଶେଷ ଦିନରେ ମେରୁ ସଂକ୍ରାନ୍ତି ଅବସରରେ ସମସ୍ତ ମାନସିକଧାରୀମାନେ ସଂପୂର୍ଣ୍ଣ ଉପବାସ ରହିଥାନ୍ତି । ଦଣ୍ଡନୃତ୍ୟ ଆରମ୍ଭରୁ ମା’ କାଳୀଙ୍କ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଉପବାସ ରହି ବ୍ରତ ପାଳନ କରୁଥିବା ଗୁହାରିଆଙ୍କୁ ଏହି ମେରୁ ପର୍ବରେ ଓଲଟାଇ ବନ୍ଧାଯିବା ସହ ତିନି ଥର ଝୁଲାଇବା ପରେ ଉଦଯାପିତ ହୋଇଥାଏ ଏହି ଦଣ୍ଡନୃତ୍ୟ ଯାହାକୁ ମେରୁଯାତ୍ରା ବୋଲି କୁହାଯାଏ ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ କାଳୀ ମନ୍ଦିରରେ ଆରମ୍ଭ ହୋଇଥିବା ଏହି ଦଣ୍ଡନୃତ୍ୟ ଯେପରିକି ବ୍ରହ୍ମପୁର ସହରର ନୂଆ ବସ ଷ୍ଟାଣ୍ଡ, ବିଜି ପୁର, ପାତାଳେଶ୍ୱର୍ ମନ୍ଦିର, ପୁରୁଣା ବ୍ରହ୍ମପୁର, ଆମ୍ବ ପୁଆ, ଲୁଚାପଡ଼ା, ପାଣି ଗ୍ରାହୀ ପେଣ୍ଠ ସାହି,କୁରୁଳା ଆଦି ବିଭିନ୍ନ ମନ୍ଦିର ରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଶେଷରେ ଆଜି ଉଦଯାପିତ ହୋଇଛି । ତେବେ ଏହି ଅବସରରେ ସମସ୍ତ ମାନସିକଧାରୀ ସେମାନଙ୍କ ପରିବାର ଓ ଭକ୍ତମାନେ ମା’ କାଳୀ ଓ ଭଗବାନ ଶିବଙ୍କୁ ସ୍ମରଣ କରିବା ସହିତ ନିଜ ନିଜର ମନସ୍କାମନା ପାଇଁ ପ୍ରାର୍ଥନା କରିଥାଆନ୍ତି । ସେପଟେ ଏହି ମେରୁ ପର୍ବ ଦେଖିବାକୁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଦଣ୍ଡ ଉପାସକ ଓ ଭକ୍ତଙ୍କ ସମାଗମ ହୋଇଥିଲା । ମା’ଙ୍କର ଜୟଗାନ ସହ ହୁଳହୁଳିରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ମନ୍ଦିର କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।