ରାତି ପାହିଲେ ଦଣ୍ଡନାଚ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାତି ପାହିଲେ ଆରମ୍ଭ ହେବ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ । ଦଣ୍ଡୁଆଙ୍କ ଦଣ୍ଡ ଓ ନାଚଗୀତରେ କମ୍ପିବ ଗାଁରୁ ସହର l ତେର ଭୁଗୁତେ ଭଜ ହେ… ଧ୍ଵନିରେ ପ୍ରକମ୍ପିତ ହେବ ଗଗନ ପବନ l ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଆସିଲେ ଚଳଚଞ୍ଚଳ ହୋଇଉଠେ ଜିଲ୍ଲାର ପ୍ରତ୍ୟେକ ଗାଁ ଗଣ୍ଡା ଏବଂ ସବୁଠି ଦେଖିବାକୁ ମିଳେ ମା’ ଦଣ୍ଡକାଳୀଙ୍କ ଉପାସନା । ଏହି ପରମ୍ପରା ହେଉଛି ବିଶ୍ବାସ ଏବଂ ଭରସାର ପ୍ରତୀକ । ଶ୍ରଦ୍ଧାଳୁ ବା ଦଣ୍ଡୁଆମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଶରୀରକୁ କଷ୍ଟ ବା ଦଣ୍ଡ ଦେଇ ଅତି ନିଷ୍ଠାର ସହ ମା’ଦଣ୍ଡକାଳୀ ଏବଂ ଶିବଙ୍କୁ ଉପାସନା କରିଥାନ୍ତି । ରୋଗବୈରାଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରିଥାନ୍ତି ଦଣ୍ଡୁଆମାନେ । ପାରମ୍ପରିକ ରୀତିନୀତି ଅନୁଯାୟୀ ମାନସିକଧାରୀ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଦୈନିକ ଧୂଳିଦଣ୍ଡ, ପାଣିଦଣ୍ଡ, ବଜ୍ରଦଣ୍ଡ, ଅଗ୍ନିଦଣ୍ଡ ଭଳି ବିଭିନ୍ନ ଦଣ୍ଡ ପାଳନ କରିଥାନ୍ତି । ଦଣ୍ଡନାଚରେ ପ୍ରଭା, ନାଗଫାସ, ଦଣ୍ଡ, ଗୌରୀବେତ, ମୟୂର ଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟ ବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ । ଏପରିକି ଭକ୍ତମାନେ ଖାଲି ପାଦରେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଘଣ୍ଟ,ମୟୂରପିଞ୍ଛ, ଢୋଲ, ମହୁରୀ, ଶଙ୍ଖ ଓ ତୁରୀ ଆଦି ଧରି ଗାଁଠାରୁ ସହର ପରିକ୍ରମା କରିଥାନ୍ତି ।

 

ହେ ଋଷିପୁତ୍ରେ!

ଅଇଲେ ହର, ଦେଇଗଲେ ବର

ଅନ୍ୟ ସେବା ଛାଡ଼ି ଏ ସେବା କର

ଏ ସେବା କଲେ କି ଫଳ ପାଏ

ଉଷୁନାଧାନ ଗଜା ହୁଏ

ଶୁଖିଲା କାଠ କଞ୍ଚା ହୁଏ

ଭଜାମୁଗ ଗଜା ହୁଏ

ଅପୁତ୍ରିକ ପୁତ୍ରଦାନ ପାଏ

ଅନ୍ଧ ଚକ୍ଷୁଦାନ ପାଏ

ଜରାରୋଗ ଭଲ ହୁଏ” ବୋଲି ବାଣୀକାର ଗାଇ ଦଣ୍ଡନାଟ ଆରମ୍ଭ କରିଥାନ୍ତି ।

ଜିଲ୍ଲାର ଚାରିଆଡେ ଦୋକାନ ବଜାରରେ ମା’ଙ୍କ ବାନା, ପିଞ୍ଚମୁଠା, ବେତ, ଝୁଣା ଆଦି ସାମଗ୍ରୀ ଜୋରସୋର ରେ ବିକ୍ରି ହେଉଥିବା ପରିଲକ୍ଷିତ ହୋଉଛି l ତେବେ ସବୁରି ମନରେ ଉତ୍କଣ୍ଠା ଓ ଆଶ୍ୱାସନା ଭରି ଉଠିବ ସହ ଜିଲାରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୁଏ l

LEAVE A REPLY

Please enter your comment!
Please enter your name here