ବିପ୍ଲବୀ ପରିକ୍ରମା ଡିଜିଟାଲ :- ଡାଇରିଆକୁ ନେଇ ଫୋକସରେ ୩ ଜିଲ୍ଲା । ଆଜି ଯାଜପୁର, କଟକ ଓ ଭଦ୍ରକ ଗସ୍ତ କରିବେ କେନ୍ଦ୍ରୀୟ ଓ ସ୍ୱାସ୍ଥ୍ୟ ବିଭାଗ ଟିମ । ଏହି ଟିମ ସମସ୍ତ ପଦକ୍ଷେପର ସମୀକ୍ଷା ସହ ଯୋଜନା ପ୍ରସ୍ତୁତ କରିବେ । ଡାଇରିଆ ସ୍ଥିତିର ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗ କ୍ଷେତ୍ର ସ୍ତରରେ ସମନ୍ୱିତ ଓ ଏକାଭୀମୁଖୀ ଭାବେ କାର୍ଯ୍ୟ କରିବେ । ଲୋକସେବା ଭବନରେ ଡାଇରିଆ ମୁକାବିଲା ସ୍ଥିତିର ସମୀକ୍ଷା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ସ୍ୱାସ୍ଥ୍ୟ ବିଭାଗ କମିଶନର, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର, ପୂର୍ତ୍ତ, ଗଣ ଶିକ୍ଷା ବିଭାଗ କମିଶନର, ମିଶନ ଶକ୍ତି ବିଭାଗ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତି ସଂପର୍କରେ ପଚାରି ବୁଝିବା ସହ ମୁଖ୍ୟ ଶାସନ ସଚିବ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ୍ୟ ପାନୀୟ ଜଳ ଉତ୍ସଗୁଡ଼ିକର ନିୟମିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ, ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର ସଚିବଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ରାପିଡ ଆକ୍ସନ ଟିମର କ୍ଷେତ୍ର ପରିଦର୍ଶନ ସ୍ଥିତି ଓ ପରାମର୍ଶ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ କେନ୍ଦ୍ରୀୟ ଟିମ ସହ ଆଲୋଚନା କରିଛନ୍ତି । କେନ୍ଦ୍ରରୁ ଆସିଥିବା ତିନୋଟି ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ ପରେ ସେମାନଙ୍କ ମତାମତ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ମୁଖ୍ୟତଃ ଦୂଷିତ ଜଳ ଓ ଖାଦ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରତି ଜଳ ଉତ୍ସକୁ ନିୟମିତ ଭାବେ ସଠିକ ଭାବେ ବିଶୋଧିତ ଏବଂ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଅଗଭୀର ନଳକୂପ, ଖୋଲାକୁପ ଆଦିର ଜଳ ଭୂପୃଷ୍ଠ ଜଳ ସଂସ୍ପର୍ଶରେ ଆସୁଥିବାରୁ ଏହା ଦୂଷିତ ହେବାର ଆଶଙ୍କା ରହିଛି । ତେଣୁ ଏସବୁ ଜଳକୁ ଫୁଟାଇ ବା ହାଲୋଜେନ ଟ୍ୟାବଲେଟ ପକାଇ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।
ଓଡ଼ିଶାର କିଛି ଜିଲ୍ଲାରେ ହଇଜା ବ୍ୟାପିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ବ୍ଲକ ଏବଂ ପୌର ପରିଷଦରେ ସଚେତନତାର ବାର୍ତ୍ତା ନେଇ ‘ବିକାଶ ବାହନ’ ଭ୍ରମଣ କରୁଛି । ବୁଧବାରରୁ ‘ବିକାଶ ବାହନ’ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା, ଶିକ୍ଷା ଓ ସଂଚାର ସାମଗ୍ରୀ ବଣ୍ଟନ କରାଯାଇ ଲୋକମାନଙ୍କୁ ହଇଜାର ନିରାକରଣ ନେଇ ସତର୍କ ଓ ସଚେତନ କରାଯାଉଛି । ଜିଲ୍ଲାର ସମସ୍ତ ଜଳ ସାଥୀଙ୍କୁ ସଂଗଠିତ ଏବଂ ତତ୍ପର କରାଯିବ । ଆବଶ୍ୟକ ସ୍ଥଳେ ଜଳ ନମୁନା ପରୀକ୍ଷା ପାଇଁ କିଟ ଯୋଗାଇ ଦିଆଯିବ । ଜଳସାଥିମାନେ ମଧ୍ୟ ଆଇଇସି ସାମଗ୍ରୀ ଜରିଆରେ ହଇଜା ନିୟନ୍ତ୍ରଣର ସଚେତନତାର ବାର୍ତ୍ତା ଦେବେ ।
ଆଜି ଗୁରୁବାର ଠାରୁ ୩ ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକକୁ ସେଣ୍ଟ୍ରାଲ ଟିମ ସହ ସ୍ୱାସ୍ଥ୍ୟ ବିଭାଗ ଟିମ ଯିବ । ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର ଟିମ । ଟିମର ଆବାହକ ରହିବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଟିମରେ ସଦସ୍ୟ ରହିବେ ସ୍ୱାସ୍ଥ୍ୟ, ପଂଚାୟତି ରାଜ, ମିଶନ ଶକ୍ତି, ନଗର ଉନ୍ନୟନ ଅନ୍ୟ ବିଭାଗର ଅଧିକାରୀ । ମେଡ଼ିକାଲ କଲେଜର ଡିନ, ପ୍ରିନ୍ସପାଲ, ସୁପ୍ରିଟେଣ୍ଡେଣ୍ଟଙ୍କ ମଧ୍ୟ ସଦସ୍ୟ ଭାବେ ରହିବେ । ସେହିପରି ରାଜ୍ୟ ସ୍ତରୀୟ ଟିମ ଓ ଜିଲ୍ଲାର କୋର ଟିମ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅନାଲିସିସ କରିବେ । ତା’ପର ଦିନ ପାଇଁ ପ୍ଲାନ ପ୍ରସ୍ତୁତ କରିବେ । SCB କୁ ବାହାରୁ ରୋଗୀ ଆସୁଥିବାରୁ ଫୋକସରେ କଟକ ଜିଲ୍ଲା ।