ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- “ଅନେକ ଲୋକ ଆସନ୍ତି , ମଞ୍ଚରେ ଭାଷଣ ଦେଇ ଚାଲି ଯାଆନ୍ତି । ହେଲେ ମୁଁ ସେମିତି ନୁହେଁ । ଏ ଗହଳି ଭିତରେ ଅନେକ ଲୋକଙ୍କ ମଧ୍ୟରୁ ଜଣେ କି ଦି’ଜଣ ଲୋକ ଥାଇପାରନ୍ତି । ଯିଏ କି ମୋତେ ଟମାଟୋ ପକାଇବେ , କାଳି ମାରିବେ , ଚପଲ ପକାଇବେ , ଗୁଳି ମାରିବେ । ହେଲେ , କିଛି ଅସୁବିଧା ନାହିଁ । ମୁଁ ଆପଣଙ୍କ ପାଖକୁ ଆସିବି , ମୋତେ କେହି ରୋକି ପାରିବେ ନାହିଁ “ । ରାଜ୍ୟ ସରକାରଙ୍କ କିଛି ଜନହିତକର ଯୋଜନା ଏବଂ ବିକାଶ ମୂଳକ କାର୍ଯ୍ୟର ଘୋଷଣା ପରେ , ଶେଷରେ ଏମିତି କିଛି ପ୍ରତିକ୍ରିୟା ରଖି ନିଜ ଭାଷଣରେ କହିଥିଲେ , ୫ ଟି ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ । ଗଂଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବେଲଗୁଣ୍ଠା ଠାରେ ଆୟୋଜିତ “ ଆମ ଓଡ଼ିଶା , ନବୀନ ଓଡିଶା” କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ନିଜ ପ୍ରତିକ୍ରିୟାରେ କହିଥିଲେ ଶ୍ରୀଯୁକ୍ତ ପାଣ୍ଡିଆନ ।
ପାଣ୍ଡିଆନ ଙ୍କ କାର୍ଯ୍ୟକ୍ରମ ଅବସରରେ , ହେଲିକପ୍ଟର ରୁ ଓହ୍ଲାଇ ସଭା ସ୍ଥଳକୁ ଯାଉଥିବା ସମୟରେ , ଜଣେ ଯୁବକ ପାଣ୍ଡିଆନ ଙ୍କ ଉଦେଶ୍ୟରେ ଟମାଟ ମାରିଥିଲା । ସେହି ସମୟରେ ଦଳୀୟ କିଛି କର୍ମୀ , ସଂପୃକ୍ତ ଯୁବକକୁ ଧରି ମାଡ ମାରିଥିବା ଦେଖିବାକୁ ମିଳିଥିଲା । ପରେ ସଂପୃକ୍ତ ଯୁବକକୁ ପୋଲିସ୍ ଧରି ନେଇ ଅଟକ ରଖିଛି । ଟମାଟୋ ମାରିବାକୁ ଉଦ୍ୟମ କରିଥିବା ଯୁବକ ଜଣକ ବେଲଗୁଣ୍ଠା ବ୍ଳକ ଗୋବରା ପଞ୍ଚାୟତ ବିରିପୁର ଗ୍ରାମର ବୋଲି ଜଣା ପଡିଛି । ଏହାକୁ ନେଇ ଦଳୀୟ କର୍ମୀ ଓ ସାଧାରଣ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସେହିଭଳି , ସମବେତ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବାପରେ ପାଞ୍ଚ ଦିନର ମହଲତ ଦେଇଥିଲେ । ଆସନ୍ତା ୨୭ ତାରିଖ ସୁଦ୍ଧା , ଗ୍ରହଣ କରାଯାଇଥିବା ଅଭିଯୋଗ ପତ୍ରର ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି , ପାଣ୍ଡିଆନ କହିଥିଲେ । ଏହା ସହ ସୋରଡା ଜଳଭଣ୍ଡାର ନିକଟରେ ୧୨୭ ବର୍ଷ ଧରି ବିସ୍ଥାପିତ ହୋଇଥିବା , ୫ ଟି ପଞ୍ଚାୟତ ଅନ୍ତର୍ଗତ ୨୨ ଟି ଗାଁ ର ବିସ୍ଥାପିତ ପରିବାରଙ୍କୁ ପଟ୍ଟା ବଣ୍ଟନ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏହି ପଟ୍ଟା ବଣ୍ଟନ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ ପାଣ୍ଡିଆନ ।
ଏହାସହ ସୋରଡା ପିପଳପଙ୍କା ଠାରେ ଏକ ଡେମ୍ ନିର୍ମାଣ ପାଇଁ ହଜାରେ ନଅ କୋଟି ଟଙ୍କା (୧୦୦୯ କୋଟି ଟଙ୍କା) ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଥିବା ଘୋଷଣା କରିଥିଲେ , ଶ୍ରୀ ପାଣ୍ଡିଆନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିଥିଲେ । କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ଆସିକା ସାଂସଦ ପ୍ରମିଳା ବିଷୋୟୀ , ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ , ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପ୍ରମୁଖ ଉପସ୍ଥିତ ରହିଥିଲେ ।