ବିପ୍ଲବୀ ପରିକ୍ରମା ଡିଜିଟାଲ :- ନୂଆ ସରକାର, ନୂଆ ନିୟମ ଓ ଧାନ ପାଇଁ ମିଳିବ କୁଇଣ୍ଟାଲ୍ ପିଛା ୩୧ଶହ ଟଙ୍କା । ମଣ୍ଡିରେ ହେବନି ମନଇଚ୍ଛା କଟନି ଛଟନି । ଏମିତି ଅନେକ ବ୍ୟବସ୍ଥା ସହ ଗତ ୨୦ ତାରିଖରେ ବରଗଡ଼ରେ ମଣ୍ଡିରେ ଆରମ୍ଭ ହୋଇଥିଲା ଧାନ କିଣା । ମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ୍ ଧାନ କିଣିବା ପୂର୍ବରୁ କହିଦେବ ଧାନର ମାନ । ଏହାସହ ଚାଷୀଙ୍କୁ ମିଳିଯିବ ଆଗୁଆ ଟୋକନ୍ ।ଏତେ ବ୍ୟବସ୍ଥା ପରେ ବି ଯାଉନ୍ତି ଚାଷୀଙ୍କ ଚିନ୍ତା । ଧାନ ଅମଳ ହୋଇସାରିଥିବା ବେଳେ ଡିସେମ୍ବର ମାସରେ ବିକ୍ରି ପାଇଁ ଆସିଛି ଟୋକେନ୍ । କେବଳ ଟୋକନ ନୁହେଁ ମଣ୍ଡିରେ ଲାଗିଥିବା ଏହି ଗ୍ରେନ୍ ଆନାଲାଇଜର ମେସିନରେ ତ୍ରୁଟି ଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । କେମିତି ବିକିବେ ଧାନ ତାକୁ ନେଇ ପୁଣି ଚାଷୀଙ୍କୁ ଘାରିଛି ଚିନ୍ତା । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଧାନର ମାନ ନେଇ ମେସିନ ଯାହା ଦର୍ଶାଇବ ତାହା ଠିକ୍ ।
ଧାନର ଆଦ୍ରତା ସଠିକ୍ ଥିଲେ ମଧ୍ୟ ଅନ୍ୟ ଅଣଧାନ ଉପାଦାନ ଯୋଗୁ ଧାନର ମାନ ଫେୟାର ଆଭରେଜ କ୍ୱାଲିଟି ବା FAQ ନଥିବା ଦର୍ଶାଉଛି ମେସିନ । ଧାନକୁ FAQ ମାନକୁ ଆଣିବାକୁ ହେଲେ ପ୍ୟାଡି କ୍ଲିନିଂ ମେସିନର ଆବଶ୍ୟକତା ରହିଛି । ତେଣୁ ଏହି ମେସିନ ଆଣିବାକୁ ଦାବି କରିଛନ୍ତି ଚାଷୀ । ଧାନ କୁଇଣ୍ଟାଲ ପିଛା ଏଥର ୩୧ ଶହ ଟଙ୍କା ପାଇବେ ଚାଷୀ । ଗତବର୍ଷ, ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର ।