(ବିପ୍ଲବୀ ପରିକ୍ରମା ବ୍ୟୁରୋ) ; ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ମିଳିଛି ସଂଦେହଜନକ ପ୍ୟାକେଟ । ବିଳମ୍ବିତ ରାତିରେ ପୋଲିସ, ସିଆଇଏସଏଫ୍, ଡଗ ସ୍କ୍ୱାଡ ଓ କଷ୍ଟମସ ବିଭାଗ ଖୋଳତାଡ଼ କରିବା ବେଳେ ଏହି ସନ୍ଦେହଜନକ ୨୨ଟି ପ୍ୟାକେଟ ମିଳିଥିଲା । ଷ୍ଟିଲ ପ୍ଲେଟ ଆଣି ଆସିଥିବା ଜାହାଜ MV DEBIରୁ ଏହି ସନ୍ଦିଗ୍ଧ ପ୍ୟାକେଟ ମିଳିଛି । ପ୍ୟାକେଟରେ କିଛି ପାଉଡର ଭଳି ସାମଗ୍ରୀ ଥିବା କୁହାଯାଉଥିଲା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍ର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା । ଜବତ ସାମଗ୍ରୀର ଯାଂଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ତେବେ ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ଥିବା ଜଣାପଡ଼ିଛି । ଏହି ଜବତ ପାଉଡର କୋକେନ୍ ବୋଲି ଯାଂଚରୁ ଜଣାପଡ଼ିଛି । ଜାହାଜରେ ଡ୍ରଗ୍ସ କାରବାର ଚାଲିଥିଲା କି ତାହାର ଖୋଳତାଡ଼ ଚାଲିଛି । ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ଏହି ଜାହାଜ ଆସିଥିଲା । ଗତକାଲି ପାରାଦୀପ ପୋର୍ଟରେ ପହଞ୍ଚିଥିଲା ଜାହାଜ । ଏହା ପାରାଦୀପରୁ ଡେନମାର୍କ ଯାଇଥାନ୍ତା ।ମାତ୍ର ଏମଭି ଦେବୀ ରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା।ଗତ ରାତିରେ ସିଆଇଏସଏଫ , ପାରାଦୀପ ପୁଲିସ୍, ଡଗ୍ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।