ଡିଜିଟାଲ ସେବା ପ୍ରଦାନରେ ଇ-ରେଜିଷ୍ଟ୍ରେସନ ଆପ୍ ଆରମ୍ଭ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ  ):- ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଖୁବ୍ ସଫଳ। ଗତ ବର୍ଷ ହୋଇଥିବା ବାତ୍ୟା ‘ଦାନା’ ସମୟରେ ଆମେ ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ କରିଥିଲୁ। ବିପର୍ଯ୍ୟୟ ପରିଚାଳନାରେ ଆମ ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅଛି। ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ। ଲୋକସେବା ଭବନରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ର ଲୋକାର୍ପଣ ଅବସରରେ ଏହା କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର ଏକ ବର୍ଷର ସଫଳତା ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି। ରାଜସ୍ବ ସେବା ପାଇଁ ରାଜ୍ୟ ସରକାର ଆଣିଛନ୍ତି, ଇ-ରେଜିଷ୍ଟ୍ରେସନ ଆପ୍। ଏଣିକି ଗୋଟିଏ ମୋବାଇଲ ଆପ୍ ରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସେବା ସଂକ୍ରାନ୍ତ ସମସ୍ତ ସୁବିଧା। ଆପକୁ ଉନ୍ମୋଚନ କରିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ। ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନାହିଁ। ଆପ୍ ରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ। ବିଭିନ୍ନ ଜାଗଜପତ୍ର ଆଦି ଅନଲାଇନରେ ଡାଉନଲୋଡ କରିହେବ। ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ ସ୍ଲଟ ବୁକିଂ ହେବ। ବ୍ଳକ ହୋଇଥିବା ସ୍ଲଟର ସ୍ଥିତି ଜାଣିବା, ଏନକ୍ୟୁମବ୍ରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ନିଜର ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା, ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ଆବେଦନ ଆଦି ସେବା ସମ୍ବନ୍ଧିତ ମତାମତ ପ୍ରଦାନ କରିବା ଲାଗି ଏହି ଆପ୍ ରେ ବ୍ୟବସ୍ଥା ଅଛି। ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଇ-ରେଜିଷ୍ଟ୍ରେସନ ଆପ୍ ଡିଜିଟାଲ ସେବା ପ୍ରଦାନରେ ରାଜ୍ୟ ସରକାରଙ୍କ ଏକ ବଡ଼ ମାଇଲଷ୍ଟୋନ।

ଏହି ଆପ୍ ମଧ୍ୟମରେ ଲୋକମାନେ ଘରେ ବସି ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ ବୁକିଂ, ସାର୍ଟିଫାଏଡ୍ କପି ଓ ଇସି ପାଇଁ ଆବେଦନ କରିପାରିବେ। ଜମିର ବେଞ୍ଚମାର୍କ ଭାଲ୍ୟୁ, ଏହି ଆପ୍ ମାଧ୍ୟମରେ ଜାଣି ହେବ। ଆପ୍ ରେ ସବ୍ ରେଜିଷ୍ଟ୍ରାର ଅଫିସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଏହାଦ୍ୱାରା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ଏବଂ କ୍ୟାସ୍ ଲେସ୍ ହୋଇପାରିଛି। ଏହା ଦ୍ୱାରା ସବ ରେଜିଷ୍ଟ୍ରାର ଅଫିସରେ ଅଯଥା ଭିଡ଼ ମଧ୍ୟ ହ୍ରାସ ହୋଇପାରିବ।” ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here