ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ବର୍ଷ ତମାମ ହାତୀଙ୍କ ଯିବା ଆସିବା କରୁଥିବାବେଳେ ହାତୀ ମଣିଷ ଭିତରେ ସଂଘର୍ଷ ଜାରିରହିଛି । ଏହି ସଂଘର୍ଷ ଭିତରେ କେତେ ବେଳେ ହାତୀ ହାରି ଯାଉଛି ତ କେତେବେଳେ ମଣିଷ। ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟର ଅନୁସନ୍ଧାନରେ ହାତୀ ମାନେ ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି | କିଛି ଦିନ ଟିକେ ଅସୁସ୍ତୀ ମିଳିଥିବା ବେଳେ ପୁଣି କରଞ୍ଜିଆ ବନଖଣ୍ଡ କୁ ଆଜି ସକାଳୁ ୨୭ ଟିକିଆ ହାତୀପଲ ପ୍ରବେଶ କରିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ ହାତୀପଲ କରଞ୍ଜିଆ ବନଖଣ୍ଡର ସୁନାପୋଷି ସଂରକ୍ଷିତ ଜଙ୍ଗଲ ରେ ପହଞ୍ଚିଥିଲେ । ବର୍ତ୍ତମାନ ସମୟରେ ବିଲରେ ଧାନ ନଥିବାରୁ ଘର ଭାଙ୍ଗିବାର ଅଧିକ ସମ୍ଭାବନା ରହିଛି । ସେଥିପାଇଁ ଅଞ୍ଚଳ ବାସୀ ଆତଙ୍କିତ ରହିଛନ୍ତି ।ଏହାକୁ ଦୃଷ୍ଟିରେ ରଖି ହାତୀ ଉପଦ୍ରବ ଯୋଗୁଁ କ୍ଷୟକ୍ଷତି ରୋକିବା ନିମନ୍ତେ ତଥା ହାତୀପଲଙ୍କ ଗତି ବିଧି ଉପରେ ନଜର ରଖିବାକୁ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ନିୟୋଜିତ ରହିଥିଲେ ମଧ୍ୟ ସେମାନଙ୍କ ଗତିବିଧି ବଦଳୁ ଥିବାରୁ ବନକର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା ।
ତେବେ କରଞ୍ଜିଆ ରୁ ସୁକୃଳି ଯାଇଥିବା ମୁଖ୍ୟ ରାସ୍ତାର ଧାନଘରବେଡା ନିକଟରେ ଏହି ହାତୀପଲ ଦୀର୍ଘ ସମୟ ଧରି ଅଟକି ରହିବାରୁ ଯାତାୟାତ କରୁଥିବା ଲୋକମାନେ ମଧ୍ୟ ହଟହଟା ହେବା ଭଳି ପରିସ୍ଥିତି ସୃଷ୍ଟି ହେଇଥିଲା । ଦୀର୍ଘ ସମୟ ଧରି ରାସ୍ତା ଉପରେ ହାତୀପଲ ଛିଡା ହେବାଦ୍ବାରା ଯାତାୟତରେ ବାଧା ଉତ୍ପନ ହେବା ଦେଖି ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ବନବିଭାଗକୁ ଖବର କରିଥିଲେ । କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ଏକ ଦଳ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ହାତୀ ମାନେ ରାସ୍ତା ଉପରୁ ଯିବାପରେ ଯାତାୟାତ ସ୍ୱାଭାବିକ ହେଇଥିଲେ ମଧ୍ୟ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଏହି ହାତୀପଲଙ୍କ ଭୟ ଲାଗି ରହିଛି । ବର୍ତ୍ତମାନ ବିଲରେ ଫସଲ ନଥିବାରୁ ଆମ୍ବ ପଣସ ସନ୍ଧାନରେ ହାତୀ ଗାଁ ମୁହାଁ ହେବା ଭୟରେ ଲୋକେ ରାତି ସମୟରେ ନିଆଁ ଜାଳି ଜଗୁଥିବା ପରିଲକ୍ଷିତ ହୋଇଛି।