ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଉ ଶୁଭିବନି ଜାକିର ହୁସେନଙ୍କ ତବଲାର ତାଳ । ଆଉ ନାହାନ୍ତି ବିଶିଷ୍ଟ ତବଲା ବାଦକ ଜାକିର ହୁସେନ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ହାର୍ଟ ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଆମେରିକାର ସାନ ଫ୍ରାନ୍ସିକୋ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ସେ ICUରେ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।
ତବଲା ବାଦନରେ ଖ୍ୟାତି ଅର୍ଜନ କରିଥିବା ଜାକିର ହୁସେନ ଘରେ ଘରେ ପରିଚିତ ଥିଲେ । ଗତ କିଛି ଦିନ ଧରି ତାଙ୍କର ସ୍ବାସ୍ଥ୍ୟଜନିତ ସମସ୍ୟା ଲାଗି ରହିଥିଲା । ୧୯୮୮ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ୧୯୯୦ରେ ତାଙ୍କୁ ମିଳିଥିଲା ସଂଗୀତ ନାଟକ ଏକାଡେମୀ ସମ୍ମାନ । ସେ ମାତ୍ର ୧୧ ବର୍ଷ ବୟସରେ କନସର୍ଟ କରିବା ଆରମ୍ଭ କରିଥିଲେ । ନିଜର ଅସାଧାରଣ ପ୍ରତିଭା ପାଇଁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜାକିର ହୁସେନ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ସେ ୧୯୫୧ ମସିହା ମାର୍ଚ୍ଚ ୯ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ବି ସମ୍ମାନିତ କରିଛନ୍ତି । ସଂଗୀତ ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ।