ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ଢାଞ୍ଚା ସଂପୂର୍ଣ୍ଣ ବଦଳିବ । ସବୁ ଘରକୁ ଏସ୍ଏଚ୍ଜି ଗ୍ରୁପ୍ ସହ ଯୋଡ଼ାଯିବ । ପ୍ରତି ପରିବାରକୁ ଏସ୍ଏଚ୍ଜି ସହ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ । ହେଲେ ପୂର୍ବ ସରକାରରେ ବହୁ ପରିବାର ବଞ୍ଚିତ ହୋଇଥିଲେ । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ଏଥିରୁ ବାହାର କରି ଦିଆଯାଇଥିଲା । ଏବେ ସରକାରଙ୍କ ମିସନ ଶକ୍ତି ବିଭାଗ ଦ୍ବାରା ସବୁ ଘରକୁ ଏସ୍ଏଚ୍ଜି ଗ୍ରୁପ୍ ସହ ଯୋଡ଼ିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଏବେ ସମସ୍ତଙ୍କୁ ଜିପିଏଲ୍ଏଫ୍ ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ । ପୂର୍ବରୁ ଯେଉଁମାନେ ସଭାପତି ଓ ସଂପାଦକ ଅଛନ୍ତି ସେମାନଙ୍କ ଜାଗାରେ ନୂଆ ଚୟନ ହେବ । ତୃଣମୂଳସ୍ତରରେ ମହିଳା ନେତୃତ୍ବ ସୃଷ୍ଟି ପାଇଁ ପ୍ରଚେଷ୍ଟା ହେବ । ଚଳିତମାସରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ପୁନଃସଂଗଠିତ କରାଯିବ । ପରବର୍ତ୍ତୀ ମାସରେ ଜିପିଏଲଏଫ୍ ଓ ସିଏଲ୍ଏଫ୍, ବିଏଲ୍ଏଫ୍ଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ଯେଉଁମାନେ ୨ଥର ୪ବର୍ଷରୁ ଅଧିକ ରହିସାରିଛନ୍ତି ସେମାନେ ପଦରୁ ହଟିବେ । ପୂର୍ବ ସରକାର ସେମାନଙ୍କ ଭୋଟ୍ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରିଥିଲେ l ସେଥିପାଇଁ ରାଜ୍ୟରେ ଏସ୍ଏଚ୍ଜିଙ୍କ ପଞ୍ଜୀକରଣ ହୋଇନାହିଁ । ବିନା ପଞ୍ଜୀକରଣରେ କୋଟି କୋଟି ଟଙ୍କା ଦିଆଯାଇଛି । ଯାହାର ଅଡିଟ୍ ହେଉନାହିଁ । ଯେଉଁଠି ପଞ୍ଜୀକରଣ କିମ୍ବା ଅଡିଟ୍ ହେଉନାହିଁ ତାହାର ଉଦ୍ଦେଶ୍ୟ କ’ଣ ବୁଝାପଡ଼ୁଛି। କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ ନୂଆ ସରକାର କାମ କରିବେ। ଋଣ କିମ୍ବା ରିଭଲ୍ଭିଂ ପାଣ୍ଠିରେ ପାତରଅନ୍ତର ହେବ ନାହିଁ, ସମସ୍ତଙ୍କୁ ଟଙ୍କା ଦିଆଯିବ l