ଉତ୍କର୍ଷ ଓଡିଶା ସମ୍ମିଳନୀ: ପ୍ରଥମ ଦିନରେ ୫୪ଟି ଚୁକ୍ତିନାମା

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିଳ୍ପ ମହାକୁମ୍ଭରୁ ଓଡିଶାକୁ ଛୁଟିବ ନିବେଶ ସମ୍ଭାର । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀର ପ୍ରଥମ ଦିନରେ ସ୍ବାକ୍ଷର ହେଉଛି ୫୪ ଚୁକ୍ତିନାମା । ବିଭିନ୍ନ ଶିଳ୍ପ ସମୂହ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡିଶାକୁ ଆସିବାକୁ ଯାଉଛି । ଏହା ଭିତରୁ ସବୁଠୁ ବଡ ଚୁକ୍ତି ‘ଆଦାନୀ’ ଗ୍ରୁପ ସହ ସ୍ବାକ୍ଷର କରିଛି ଓଡିଶା ।୫୪ଟି ଏମଓୟୁରୁ ପ୍ରାୟ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସୂଚନା ଅନୁଯାୟୀ ଆଦାନୀ ଗ୍ରୁପ ସହ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣା ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ ସହ ଏମଓୟୁ ହୋଇଛି । ଏଥିରେ ପ୍ରାୟ ୩୦ ରୁ ୪୦ ହଜାର କୋଟି ପୁଞ୍ଜିନିବେଶ ହେବ। ଆଜି ସ୍ବାକ୍ଷରିତ ହୋଇଥିବା ମୋଟ ଚୁକ୍ତିନାମାରେ ଓଡିଶା ମୋଟ ସାଢେ ୪ଲକ୍ଷରୁ ଅଧିକ ଟଙ୍କାର ନିବେଶ ପାଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।

 

୨.୨୮ ଲକ୍ଷ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ଆଦାନୀ ଗ୍ରୁପ । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ ଚୁକ୍ତି ହୋଇଛି ।JSPL ଗ୍ରୁପ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି JSPL ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ ।ବେଦାନ୍ତ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌ (JSPL) ଓ ଆଦିତ୍ୟ ବିର୍ଲା ଗ୍ରୁପ ପ୍ରମୁଖ ନିବେଶ ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ।

 

ସେହିପରି ବିଶିଷ୍ଟ ଉଦ୍ୟୋଗୀ ତଥା ‘JSPL’ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି,” ଓଡିଶା ମୋର କର୍ମଭୂମି । ଓଡିଶା ଏକ ବିକଶିତ ହେଉ ଆମେ ଆଶା କରିବୁ । ଆଗକୁ ଆମେ ନିବେଶ କରିବା ସହ ଓଡିଶା ସରକାରଙ୍କ ସହ ମିଶି କାର୍ଯ୍ୟ କରିବୁ । ଆଜି ୧ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଚୁକ୍ତି କରିଛୁ । ୪୫ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ । ୨ ଲକ୍ଷ ଲୋକ ପରୋକ୍ଷ ଭାବେ ନିଯୁକ୍ତି ପାଇବେ । ସେହିପରି ପ୍ରତିଷ୍ଠିତ ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା କହିଛନ୍ତି,”ଓଡିଶାରେ ଆମେ ଦୀର୍ଘ ସମୟ ଧରି ନିବେଶ କରି ଆସିଛୁ । ଏଠାରେ ଆମେ ବହୁ ବର୍ଷ ହେଲା ଅଛୁ । ଆମେ ଓଡିଶାରେ 50 ହଜାର କୋଟି ଟଙ୍କା ନିବେଶ କରିସାରିଛୁ । ଓଡ଼ିଶାରେ ଆମେ ଆଉ 50 ହଜାର କୋଟି ନିବେଶ କରିବ ଯୋଜନା ରଖିଛୁ । ଆଲୁମିନିୟମ ରିଫାଇନାରୀ ଓ ଆଲୁମିନିୟମ ସ୍ମେଲଟିଙ୍ଗ ଶିଳ୍ପ ପ୍ରତିଷ୍ଠା କରିବୁ । ଏହି ଦୁଇଟି କ୍ଷେତ୍ରରେ ଆମେ ଆଗକୁ ନିବେଶ କରିବାକୁ ଯାଉଛୁ ।’’ ଓଡିଶାର ଶିଳ୍ପ ଉପଯୋଗୀ ଭିତ୍ତିଭୂମି ସହ ବିର୍ଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି l

 

ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି,” ରାୟଗଡ଼ା ଦୁନିଆର ସ୍ଵର୍ଗ । ସେଠାକାର ଲୋକ ବହୁତ ଭଲ । ସେଠାରେ ନିବେଶ କରିବା ସହ ନିଯୁକ୍ତି ସୃଷ୍ଟି କରିବା ଆବଶ୍ୟକତା ଥିବା ଅନୁଭବ କଲି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବଡ଼ ସୁଯୋଗ ରହିଛି । ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାପନ କରିହେବ । ରାୟଗଡ଼ାରେ ପ୍ରାଥମିକ ଆଲୁମିନିୟମ ପ୍ରସ୍ତୁତ କରିବୁ । ୩୦ ଲକ୍ଷ ଟନ ବନାଉଛୁ । ଆଗକୁ ଆଉ ୩୦ ଲକ୍ଷ ଟନ ବନେଇବା ପାଇଁ ଲକ୍ଷ୍ୟ ରଖିଛୁ । ଛୋଟ ଧରଣର ଷ୍ଟାର୍ଟ ଅପ୍‌, ଏସଏମ୍ଇ ଯାହା ୫ କୋଟିରୁ ୮୦୦କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଆମର ଇଚ୍ଛା ଅଛି ଏହିଭଳି ୧ହଜାର ଶିଳ୍ପ ଆସୁ l

 

ଗଣମାଧ୍ୟରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି, ସରକାର ଏହି ନିବେଶ ୫ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆଶା ରଖିଥିଲେ । ମାତ୍ର ଏହି ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ୫ଗୁଣାରୁ ଅଧିକ ହୋଇପାରେ । ସେହିପରି ଏହି କାର୍ଯ୍ୟକ୍ରମ ଓଡିଶାକୁ ଶିଳ୍ପର ସମ୍ଭାର ଆଣିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ l

LEAVE A REPLY

Please enter your comment!
Please enter your name here