ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାସନ କାର୍ଡକୁ ନେଇ ରାଜ୍ଯରେ ଜାରି ରହିଛି eKYC ପ୍ରକ୍ରିୟା । ଏହାରି ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ”ରାଜ୍ୟରେ ଆୟକରଦାତାଙ୍କ ପାଖରେ ରାସନ କାର୍ଡ ଥିବା ତଥ୍ୟ ଆସିଛି । ଆୟକର ଦେଉଥିବା ବ୍ୟକ୍ତିଙ୍କୁ ରାସନକାର୍ଡ ମିଳିଥିବାର ତଥ୍ୟ ସରକାରଙ୍କ ପାଖରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ତନାଘନା । କେତେଜଣ ଏଭଳି ହିତାଧିକାରୀ ଅଛନ୍ତି ସେନେଇ ଚାଲିଛି ଅନୁଧ୍ୟାନ । ଏଥିରେ କେତେ ସତ୍ୟାସତ୍ୟ ରହିଛି ତାହା ଫିଲ୍ଡିଂ ଭେରିଫିକେସନ ପରେ ଜଣାପଡିବ । ଯଦି ଆୟକର ଦାତା ହୋଇ ରାସନ କାର୍ଡ ପାଉଥିଲେ ତାଙ୍କୁ କାଟି ଦିଆୟିବ ” ବୋଲି କହିଛନ୍ତି ମନ୍ତ୍ରୀ ।
ପୂର୍ବ ନବୀନ ସରକାରରେ କିପରି ସରକାରୀ ଧନ ହରିଲୁଟ ହେଉଥିଲା ତାହା ଏବେ ଧରାପଡ଼ୁଛି । ପ୍ରତି ପାହାଚରେ ଚାଲିଥିଲା ହରିଲୁଟ । କେଉଁଠି ଭୂତ ସରକାରୀ ଧନ ଖାଉଥିଲେ ତ ଆଉ କେଉଁଠି ଅଯୋଗ୍ୟ ଗିଳୁଥିଲେ । ଏବେ ସାମ୍ନାକୁ ଆସିଛି ଆହୁରି ଏକ ଚାଞ୍ଚଲ୍ୟକର କଥା । ରାଜ୍ୟର ଆୟକରଦାତା ମାନେ ବି ସରକାରୀ ଧନ ମାଗଣା ଖାଉଥିଲେ । ୪ଲକ୍ଷ ଆୟକର ଦାତା ସରକାରୀ ରାସନ ନେଉଥିବା ଜଣାପଡ଼ିଛି । ଏହାକୁ ଏବେ ମୋହନ ସରକାରଙ୍କ ସିଷ୍ଟମ ଧରିଛି । ଏଗୁଡ଼ିକୁ ପୁନଃ ଯାଞ୍ଚ ପରେ ପଦକ୍ଷେପ ନିଆଯିବ । ସେମାନଙ୍କ ଠାରୁ ସରକାରୀ ଅର୍ଥ ଫେରସ୍ତ ନିଆଯିବ ବୋଲି ନିଷ୍ପତ୍ତି କରାଯାଉଛି ।
ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଆୟକର ଦାତାମାନେ ସରକାରୀ ରାସନ ରିହାତି ଦରରେ ନେବାକୁ ଯୋଗ୍ୟ ନୁହନ୍ତି । ସେମାନଙ୍କୁ ଏହି ଶ୍ରେଣୀ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ହେଲେ ଏଥିରେ ବଡ଼ ଚଞ୍ଚକତା କରିଥିଲେ ନବୀନ ସରକାର । ଆୟକର ଦେଉଥିବା ୪ଲକ୍ଷରୁ ଅଧିକ ଲୋକ ସରକାରୀ ରାସନ ଖାଉଥିଲେ । କେବଳ ସେତିକି ନୁହେଁ, ଅନେକ ଲୋକ ଆୟକର ଦାଖଲରେ ହେରାଫେରି କରି ନିଜକୁ ଶୂନ ଆୟକର ବୋଲି ଦର୍ଶାଇ ସରକାରୀ ଧନ ଲୁଟୁଛନ୍ତି । ଏହି ଲୁଟକୁ ମୋହନ ସରକାରଙ୍କ ସିଷ୍ଟମ ଧରିଛି ।
ପୂର୍ବରୁ ନବୀନ ସରକାରରେ ଆୟକରଦାତାଙ୍କ ତଥ୍ୟ ରାସନ ସହ ସଂଯୋଗ ହେଉ ନଥିଲା । ମୋହନ ସରକାର ଆସିବା ପରେ ରାସନ ସାମଗ୍ରୀ ନେଉଥିବା ଲୋକଙ୍କ ତାଲିକାରେ ଥିବା ଲୋକ ଓ ଆୟକର ତାଲିକାରେ ଥିବା ଲୋକଙ୍କ ତାଲିକା ମେଳ କରାଯିବା ପରେ ଏପରି ସାଂଘାତିକ ତଥ୍ୟ ସରକାର ପାଇଛନ୍ତି । ସେହି ତଥ୍ୟକୁ ସରକାରୀବାବୁମାନେ ଏବେ ଯାଞ୍ଚ କରୁଛନ୍ତି । ଯାଞ୍ଚ ପରେ ସେମାନଙ୍କ ନାମ ରାସନ କାର୍ଡରୁ କେବଳ କଟାଯିବ ନାହିଁ, ବରଂ ସେମାନଙ୍କ ଠାରୁ ସରକାରୀ ରାସନର ଅର୍ଥ ଫେରସ୍ତ ନିଆଯିବ । ଏପରି କିଛି ସରକାରୀ ସ୍ତରରେ ଯୋଜନା କରାଯାଉଛି । ଏନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେବା ପରେ ଏବେ ମାଗଣା ରାସନ ଖାଉଥିବା ଆୟକର ଦାତାମାନଙ୍କ ମଧ୍ୟରେ ଛନକା ପଶିଛି । ଦେଖାଯାଉ ମୋହନ ସରକାର ନବୀନ ସରକାରର ଏହି ଲୁଟକୁ ଧରି ରାଜସ୍ୱ ଆଦାୟ କରିପାରୁଛନ୍ତି ନା ଚୁପ ରହିଯାଉଛନ୍ତି l