ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଧାନକିଣା ପ୍ରକିୟାରେ ବିଭ୍ରାଟ ନେଇ ପୁଣି ଆନ୍ଦୋଳନ କଲେ ଚାଷୀ। ଚାଷୀ ତାଙ୍କ ଉତ୍ପାଦିତ ଧାନକୁ ବିକ୍ରୀ କରିବା ପାଇଁ ଗଜପତି ଜିଲ୍ଲାରେ ଲାଗିଛି ତୁମ୍ବି ତୁଫାନ । ଦିନ ତମାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ବିକ୍ଷୋଭ, ରାସ୍ତା ରୋକ କଲେ ଶହ ଶହ ଚାଷୀ । ଲିଖିତ ପ୍ରତିଶ୍ରୁତିକୁ ଆଉ ମାନୁ ନାହାନ୍ତି ଚାଷୀ। ବାରମ୍ବାର ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରି ନ କରିପାରିବା ଫଳରେ ପ୍ରଶାସନର ପାରିବା ପଣିଆ ପଦାରେ ପଡ଼ିଛି । ବୋଧେ ଆଉ ପ୍ରଶାସନିକ ଅଧିକାରୀଙ୍କ ଉପରେ ଭରସା କରିପାରୁ ନାହାଁନ୍ତି ଚାଷୀ, ତେଣୁ ଚାଷୀଙ୍କ ଏକା ଜିଦ୍ ସିଧା ସଳଖ ଜିଲ୍ଲାପାଳ ଚାଷୀଙ୍କ ସହ ଆଲୋଚନା କରନ୍ତୁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ସମୟରେ।
ଗଜପତି ଜିଲ୍ଲାରେ ଗତ ସାତ ତାରିଖରୂ ମଣ୍ଡି ଖୋଲିଲାଣି କିନ୍ତୁ ଟୋକେନ ପାଇଥିବା ଚାଷୀଙ୍କ ଧାନ ବିକ୍ରୀ ହୋଇପାରୁନି ଯାହାକୁ ନେଇ ଗତ ସପ୍ତାହକ ମଧ୍ୟରେ ଜିଲ୍ଲାର ଚାରୋଟି ଜାଗାରେ ଚାଷୀଙ୍କ ଜୋରଦାର ଆନ୍ଦୋଳନ ହେଉଛି ଏବଂ ପ୍ରଶାସନ ମଧ୍ୟ ଧାନ କିଣା ନେଇ ଲିଖିତ ପ୍ରତିଶ୍ରୁତି ଦେଉଛି କିନ୍ତୁ ମିଲର ଚାଷୀଙ୍କ ଧାନ ଗ୍ରହଣ କରୁନାହାନ୍ତି । ହେଲେ ଆଜି ନବନିର୍ମାଣ କୃଷକ ସଂଘର ଡାକରା କ୍ରମେ ଚାଷୀଙ୍କ ଆନ୍ଦୋଳନ ସବୁ ସୀମା ଟପିଛି । ଆଜି ଚାଷୀମାନେ ପ୍ରଥମେ ଶତାଧିକ ଚାଷୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜିଦ୍ ରଖିଥିଲେ ଜିଲ୍ଲାପାଳ ଆସି ଆଲୋଚନା କରନ୍ତୁ କିନ୍ତୁ ଜିଲ୍ଲାରେ ମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ କାରଣରୁ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ଥିବା ଜାଣିବା ପରେ ଚାଷୀ ଚାଷୀଙ୍କ ଉଗ୍ରତା ବଢିଥିଲା । ତାପରେ ଉତ୍ୟକ୍ତ ଚାଷୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ପ୍ରବେଶ ପଥକୁ ସିଲ୍ କରିବା ସହ ପାରଳାଖେମୁଣ୍ଡି ସହରର ପ୍ରବେଶ ପଥକୁ ମଧ୍ୟ ଅବରୋଧ କରିଥିଲେ । ଦିର୍ଘ ସମୟ ଧରି ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିଲା ଆନ୍ଦୋଳନ କାରି ଚାଷୀମାନେ କାହାରି କଥା ଶୁଣିବାକୁ ନାରାଜ , ଏହାରି ମଧ୍ୟରେ ଚାଷୀଙ୍କୁ ସାନ୍ତନା ଦେବାପାଇଁ ଅତିରିକ୍ତ ଜିଲ୍ଲାପାଳ ଆସି ଲିଖିତ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆନ୍ଦୋଳନରତ ଚାଷୀ କୌଣସି ଲିଖିତ ପ୍ରତିଶ୍ରୁତିକୁ ମାନିବାକୁ ନାରାଜ ଥିଲେ । କେବଳ ଗୋଟିଏ ଜିଦ୍ ଜିଲ୍ଲାପାଳ ନିଜେ ଚାଷୀଙ୍କୁ ଭେଟି ଆଲୋଚନା କରନ୍ତୁ । କାରଣ ପୂର୍ବରୁ ୩ ଥର ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ଦେଇଥିଲେ କିନ୍ତୁ କୌଣସି ଫଳପ୍ରଦ ହୋଇନି । ପୁର୍ବରୁ ଗତ ଶନିବାର ସାତମାଇଲ ଛକରେ ଆନ୍ଦୋଳନ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ଦେଇଥିବା ଲିଖିତ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଲାନି । ତାର ପରବର୍ତ୍ତୀ ସମୟରେ ହାଡୁଭଙ୍ଗି , ସରଧାପୁର ଓ ଅନ୍ୟାନ୍ୟ ସ୍ଥାନରେ , ମଣ୍ଡି ମାନଙ୍କରେ ଚାଷୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି। କିନ୍ତୁ ଚାଷୀଙ୍କ ସମସ୍ୟାର ସମାଧାନ ହେଉନି । ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଥିଲା ତାର କ୍ଷତି ପୂରଣ ବାବଦକୁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇନି ,ଓଦା ହୋଇଥିବା ବେରଙ୍ଗି ଧାନ କିଣିବେ କି ନାହଁ ତାହା ବି ସ୍ପଷ୍ଟ କରିନାହାନ୍ତି ସରକାର ଆଉ ଯାହା କିଛି ବସିଥିଲା ତାକୁ ବିକ୍ରୀ କଲା ବେଳକୁ ମଣ୍ଡିରେ ସମସ୍ୟା, ମିଲରଙ୍କ କଟଣି ଛଟଣି ଯାହା ଚାଷୀଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ତେଣୁ ସମସ୍ୟାର ସମାଧାନ ପାଇଁ ଚାଷୀ ଜିଦ୍ ଧରି ଦିନ ତମାମ ରାସ୍ତା ଉପରେ ବସି ରହିଥିଲେ । ଫଳରେ ଯାତାୟତରେ ସମସ୍ୟା ସହ ସାଧାରଣ ଲୋକେ,ସ୍କୁଲ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଆଜି ଦିନ ଦଶଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଆନ୍ଦୋଳନରତ ଚାଷୀମାନେ ନିଜ ଜିଦରେ ଅଡ଼ି ବସିଥିଲେ ଯେ ଜିଲ୍ଲାପାଳ ସହ ଆଲୋଚନା କରିବାକୁ। କିନ୍ତୁ ଜିଲ୍ଲାପାଳଙ୍କୁ ଦେଖା ନକରି ପାରି ନିରାସ ହୋଇ ଫେରିଛନ୍ତି ।
ସୁଚନା ଥାଉକି ଜିଲ୍ଲାପାଳଙ୍କ ଅନୁପସ୍ଥିତ କାରଣରୁ ପୁଣି ଥରେ ଅତିରିକ୍ତ ଜିଲ୍ଲାପାଳ, ଯୋଗାଣ ଅଧିକାରୀ, ଏବଂ ପାରଳାଖେମୁଣ୍ଡି ଏସଡିପିଓ ମିଳିତ ଭାବେ ଚାଷୀ ନେତା ଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରି ପ୍ରତିଶୃତି ଦେବା ପରେ ଶେଷରେ ଆନ୍ଦୋଳନରୁ ଓହରିଲେ ଚାଷୀ। ଯେଉଁ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଟୋକନ ଅବଧି ସରିଯାଇଛି ଆସନ୍ତା ପାଞ୍ଚ ଦିନ ମଧ୍ୟରେ ସେମାନଙ୍କ ଧାନ କିଣାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ।ଗତ ସପ୍ତାହକ ମଧ୍ୟରେ ଜିଲ୍ଲାର କାଶିନଗର ଓ ଗୋଷାଣୀ ବ୍ଲକରେ ପ୍ରଶାସନ ପକ୍ଷରୁ ପଞ୍ଚମ ଥର ପାଇଁ ଚାଷୀଙ୍କ ଧାନ କିଣା ଯିବା ନେଇ ପ୍ରତିଶୃତି ଦିଆଯାଇଛି ହେଲେ କୈାଣସି ସୁଫଳ ମିଳିନାହିଁ। ତେବେ ରାଜ୍ୟ ସରକାର ଧାନ ସଂଗ୍ରହ ନୀତିରେ କେବେ ସୁଧାର ଆସିବ କେବେ ଚାଷୀଙ୍କ ଧାନ କିଣା ଯିବ ତାକୁ ନେଇ ଚିନ୍ତାରେ ଚାଷୀ ।