ଦିଗପହଣ୍ଡି (ବିପ୍ଲବୀ ପରିକ୍ରମା):- ଚଳିତ ନିର୍ବାଚନ, ପୂର୍ବ ନିର୍ବାଚନଠାରୁ ଟିକେ ନିଆରା ହେବାକୁ ଯାଉଛି । ଏଥର ଏକାଧିକ ବିଧାନସଭା ଆସନରେ ହେଭିୱେଟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି । ଯାହା ପ୍ରଚାର ମଇଦାନକୁ ସରଗରମ କରିବ ।ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, କେତେକ ବିଧାନସଭା ଆସନରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି । ବିଶେଷକରି ଯେଉଁ ସବୁ ଆସନରେ ରାଜନୈତିକ ଦଳ ହେଭିୱେଟକୁ ପ୍ରାର୍ଥୀ କରିଛନ୍ତି, ସେହି ଆସନରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି ।
ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ଦିଗପହଣ୍ଡିରୁ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ମଇଦାନକୁ ଓହ୍ଲାଇବା ପରେ, ବିଜେଡି ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କ ସହ ଏଥର ଲଢ଼େଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡି ସେଠାରୁ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ଜଣେ ବିଧାୟକଙ୍କ ପୁଅ ଭାବେ ବିପ୍ଲବଙ୍କ ଦିଗପହଣ୍ଡିରେ ଭଲ ସଂଗଠନ ସହ ଲୋକପ୍ରିୟତା ରହିଛି । ସେହିପରି ବିପ୍ଲବଙ୍କ ବିରୋଧରେ ବ୍ରହ୍ମପୁରରେ ଦୁଇ ଦୁଇଥର ସାଂସଦ ରହିଥିବା ସିଦ୍ଧାନ୍ତଙ୍କର ଦିଗପହଣ୍ଡିରେ ଭଲ ସଂଗଠନ ରହିଛି । ଆଉ ସିଦ୍ଧାନ୍ତଙ୍କର ମଧ୍ୟ ଓଡିଶାରେ ଭଲ ଲୋକପ୍ରିୟତା ରହିଛି ।
ତେଣୁ ବିଜେଡିର ଗଡ କୁହାଯାଉଥିବା ଦିଗପହଣ୍ଡିରେ ସିଦ୍ଧାନ୍ତଙ୍କୁ ଓହ୍ଲାଇ ବିଜେପି ବିଜେଡିକୁ ଜୋରଦାର ଟକ୍କର ଦେବ । ଗତ ବିଧାନସଭା ନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ବିଜେପି ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ପିଙ୍କି ୪୦ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ । ହେଲେ ଏଥର ସିଦ୍ଧାନ୍ତ ବିଜେଡିର ବିପ୍ଲବଙ୍କୁ ଜୋରଦାର ଟକ୍କକ ଦେଇପାରନ୍ତି । ପୁରୀ ବିଧାନସଭା ଆସନରୁ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ବିଜେପି ପୁଣି ଥରେ ପ୍ରାର୍ଥୀ କରିବା ପରେ, ଏହି ଆସନରେ ବଡ ଲଢ଼େଇ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
କାରଣ, ଏହି ଆସନରୁ ସୁନୀଲ ମହାନ୍ତିଙ୍କୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ଉଭୟ ପୁରୀର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଅନ୍ୟପଟେ ନୂଆପଡା ବିଧାନସଭା ଆସନରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ମଧ୍ୟରେ ଲଢ଼େଇ ହେବ । ଦୁହେଁ ହେଭିୱେଟ ହୋଇଥିବାରୁ ଓ ରାଜେନ୍ଦ୍ରଙ୍କୁ ତାଙ୍କ ଦଳର ଏକ ଗୋଷ୍ଠୀ ବିରୋଧ କରୁଥିବାରୁ ସେହି ଆସନରେ ଶରତ କଡା ଟକ୍କର ଦେବେ ବୋଲି କୁହାଯାଉଛି ।
ତେବେ ଏହି ସବୁ ଆସନ ବ୍ୟତୀତ ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଧାୟକ ବ୍ୟୋମକେଶ ରାୟ, ଝାରସୁଗୁଡାରେ ବିଧାୟିକା ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଓ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ନର୍ଲାରେ ଭୂପିନ୍ଦର ସିଂ ଓ ଭକ୍ତ ଚରଣ ଦାସଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ।