ଶେଷରେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର
ପୁରୀ ( ବିପ୍ଲବୀ ପରିକ୍ରମା ):- ଆଜି ରାଜ୍ୟବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଉତ୍କଣ୍ଠାର ଦିନ। ବହୁ ପ୍ରତୀକ୍ଷାର ଘଟିବ ଅନ୍ତ । ଦୀର୍ଘ ୪୬ ବର୍ଷ ପରେ ଆଜି ଦିନ ଗୋଟାଏ ପରେ ଖୋଲାଯାଉଛି ମହାପ୍ରଭୁଙ୍କ ସେହି ରହସ୍ୟମୟ ରତ୍ନଭଣ୍ଡାର । ଗତକାଲି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏସ୍ଓପିକୁ ମଞ୍ଜୁର କରିଥିଲେ ରାଜ୍ୟ ସରକାର। ଏହାପରେ ଏସ୍ଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
ଗତକାଲି ରାତିରେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ତଦାରଖ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ । ତଦାରଖ ପରେ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ନୀତିକାନ୍ତିରେ ଯେପରି ବାଧା ନଉପୁଜେ, ସେଥିଲାଗି ଅସ୍ଥାୟୀ ଷ୍ଟଙ୍ଗରୁମ ଲାଗି ଉପଯୁକ୍ତ ସ୍ଥାନ ବାଛିଛୁ । ରତ୍ନଭଣ୍ଡାର ଖୋଲିବା ହେଉଛି ଆମର ପ୍ରାଥମିକତା । ସମସ୍ତ ପ୍ରକାର ପ୍ରସ୍ତୁତି ଠିକ୍ ଭାବେ ଚାଲିଛି।ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଯେତେବେଳେ ଶ୍ରୀମନ୍ଦିରରେ ପ୍ରବେଶ କରିବେ କମିଟି ସଦସ୍ୟ, ସେତେବେଳେ ସାମୟିକ ସମୟ ଲାଗି କଟକଣା ଜାରି ହେବ। ଆଜି ଏନେଇ ପୁଣି ଆଲୋଚନା ହେବ । ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ଅଣାଯାଇଛି l
ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ ।ଆଜିଠାରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ଏବଂ କ୍ରମାଗତ ଭାବେ ଚାଲିବ। ଗତକାଲି ଏହା କହିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହ ଆଇନମନ୍ତ୍ରୀ କହିଛନ୍ତି, ଅଳଙ୍କାର ଗଣତି ମଣତି ନେଇ ରିଜର୍ଭ ବ୍ୟାଙ୍କ୍ ର ସହାୟତା ନିଆଯିବ। RBI ପ୍ରତିନିଧି ଉପସ୍ଥିତ ରହିବେ ଏବଂ ରତ୍ନଭଣ୍ଡାର ଟିମ୍ କୁ ସହାୟତା କରିବେ। ସ୍ବଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ବ। ରତ୍ନଭଣ୍ଡାର ଗଣତି ମଣତି ସଂପର୍କରେ ଆଇନମନ୍ତ୍ରୀ କହିଛନ୍ତି ଯେ, ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ ଏବଂ ଏକ ଡିଜିଟାଲ କାଟାଲଗ୍ ତିଆରି ହେବ। ଏହା ଆଗାମୀ ଦିନ ପାଇଁ ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ।