ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ପତାକା ଉତ୍ତୋଳନ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ପ୍ରଥମ ଥର ପାଇଁ ବିଜେପି ସରକାରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗାନ୍ଧୀମାର୍ଗରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ବରପୁତ୍ରଙ୍କ ବଳିଦାନ ଅନନ୍ୟ । ଓଡ଼ିଆ ସଂଗ୍ରାମୀଙ୍କ ପାଇଁ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା ବୋଲି କହିଛନ୍ତି ସିଏମ । ଏଥିସହ ସମ୍ବୋଧନ ସମୟରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଆଉ ଏକ ହକି ଷ୍ଟାଡିୟମ ହେବା ନେଇ ଘୋଷଣା କରିଛନ୍ତି ।

ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି । ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢୁଛି । ଖୁବ୍‌ଶୀଘ୍ର ଭାରତର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ । 2027 ସୁଦ୍ଧା ଭାରତ ବିଶ୍ବଗୁରୁ ହେବ । ଓଡ଼ିଶାବାସୀ ସ୍ବାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ । ବଡ଼ ସ୍ୱପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଛୁ, ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ । ଆଗାମୀ 5 ବର୍ଷରେ 500 ଆଦିବାସୀ ଗ୍ରାମ ବିକଶିତ କରିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।କେବଳ କୃଷକ ଓ ମହିଳା ନୁହେଁ, ସମାଜର ସବୁ ବର୍ଗର ସାମଗ୍ରିକ ଉନ୍ନତି ଆମର ଲକ୍ଷ୍ୟ ବୋଲି ସମ୍ବୋଧନରେ କହିଥିଲେ ମୁଖ୍ୟମନ୍ତ୍ରୀ ।” ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ସାମୁହିକ ବିକାଶ ପାଇଁ PESA ଆଇନ ଲାଗୁ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ ।

ତୃଣମୂଳସ୍ତରରୁ ବିକାଶର ଇଞ୍ଜିନକୁ ଆଗେଇ ନେବା ପାଇଁ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଯୋଜନା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ, ଯାହା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଆଗାମୀ ଦିନରେ ବିକଶିତ ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶ ପାଇଁ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସର ଗୁରୁ ମନ୍ତ୍ର ଦେଇଛନ୍ତି । ସେଇ ମନ୍ତ୍ରରେ ଦୀକ୍ଷିତ ହୋଇ ସମସ୍ତଙ୍କୁ ସାମିଲ କରି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଅନୁସୂଚିତ ଜାତି ଓ ଜନଜାତି ହେଉଛନ୍ତି ଆମ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ବିକାଶ ନିତାନ୍ତ ଆବଶ୍ୟକ । ସେଥିପାଇଁ ଆମେ ଅନେକ ଯୋଜନା ଆରମ୍ଭ କରିଛୁ ।”

 

ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଗରୀବ ଲୋକଙ୍କ କଲ୍ୟାଣ- ଏସବୁ ଲକ୍ଷ୍ୟ ପୂରଣ ପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତତ୍‌ସହିତ ଆଗାମୀ ୫ ବର୍ଷରେ ଓଡିଶାର ଯୁବକ ଯୁବତୀମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ । ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ । ସେଥିପାଇଁ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପ୍ରଶିକ୍ଷଣ ଯୋଗାଇବା ଅତ୍ୟନ୍ତ ଆବଶ୍ୟକ । ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆମେ ଗ୍ରହଣ କରିଛୁ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆମେ କୌଶଳ ଭବନ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଛୁ ।”

LEAVE A REPLY

Please enter your comment!
Please enter your name here