ବିପ୍ଲବୀ ପରିକ୍ରମା ବ୍ୟୁରୋ :-ସ୍ବାଭାବିକ ହେଇପାରିଵ ଗୋଦରା ଗୋଡ । ଆଉ ଗୋଦରା ଗୋଡ ଧରି ଯନ୍ତ୍ରଣା ଭୋଗିଵେନି ଆକ୍ରାନ୍ତ । ଗୋଦରା ଗୋଡକୁ ଅସ୍ତ୍ରୋପଚାର ଦ୍ବାରା ସ୍ବାଭାବିକ କରିଵା ପାଇଁ କଟକ ଏସ୍ ସି ଵି ମେଡିକାଲରେ ଆରମ୍ଭ ହେଲା ପ୍ରଥମ ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ । ପ୍ରଥମ ରୋଗୀ ଭାବେ ଯାଜପୁରର ଜଣେ ମହିଳାଙ୍କର ଏସ୍ ସି ଵିରେ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି ।
ଫାଇଲେରିଆ ସହ ଵିଭିନ୍ନ କାରଣରୁ ଗୋଦରା ଗୋଡ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଭଲ ଖଵର । କଟକ ଏସ୍ ସି ଵି ମେଡିକାଲରେ ଗୋଦରା ଗୋଡର ଅସ୍ତ୍ରୋପଚାର କରି ସ୍ବାଭାବିକ କରିବା ପାଇଁ ଆରମ୍ଭ ହୋଇଛି ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର ଏସ୍ ସି ଵି ମେଡିକାଲରେ ଆରମ୍ଭ କରାଯାଇଛି । ପୂର୍ବରୁ ଯଦିଓ ଅସ୍ତ୍ରୋପଚାର କରି ଗୋଦରା ଗୋଡକୁ ଠିକ୍ କରିଵା ପାଇଁ ଚିକିତ୍ସା ହେଉଥିଲା, କିନ୍ତୁ ଗୋଦରା ହେଵାର ମୂଳ କାରଣର ନିରାକରଣ ପ୍ରୟାସ ହେଉନଥିଲା ଵୋଲି ଏସ୍ ସି ଵି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ଵିଭାଗର ମୁଖ୍ୟ ଡାକ୍ତର ଵିଭୂତି ଭୂଷଣ ନାୟକ କହିଛନ୍ତି ।
ଯାଜପୁର ଜିଲ୍ଲା ଵରୁଆଁ ଥାନା ଅନ୍ତର୍ଗତ ମହମ୍ମଦଜାମାପୁର ଗାଁର ରୀତାରାଣୀ ସ୍ବାଇଁଙ୍କ ଗୋଦରା ଗୋଡର ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ ଅପରେସନ ଏସ୍ ସି ଵି ରେ ସଫଳତାର ସହ କରାଯାଇଛି । ଅସ୍ତ୍ରୋପଚାରର 15 ଦିନ ପରେ ଆକ୍ରାନ୍ତଙ୍କ ଗୋଡ ସ୍ବାଭାବିକ ହେଵା ଆରମ୍ଭ ହୋଇଛି । ଭାରତରେ ଏହି ଅସ୍ତ୍ରୋପଚାର ଦୁଇ ବର୍ଷ ହେବ ଏହି ମାଇକ୍ରୋ ସର୍ଜରୀ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଏସ୍ ସି ଵି ରେ ଆରମ୍ଭ ହୋଇଛି । ମହିଳା ଜଣକ ଗତ ପ୍ରାୟ 15 ଵର୍ଷ ହେବ ଏହି ଗୋଦରା ଗୋଡ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ତେବେ ଅସ୍ତ୍ରୋପଚାର ପରେ ଧିରେ ଧିରେ ଗୋଡ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ମହିଳା କହିଛନ୍ତି । ଜୀବନରେ କେଵେଵି ଗୋଦରା ଗୋଡ ସୁଧୁରିବ ଵୋଲି ଆଶା ରଖିନଥିଲେ ରୀତାରାଣୀ । ଆଉ ଆଜି ନିଜ ଗୋଡ ପୁଣି ସ୍ବଭାବିକ ଅଵସ୍ଥାକୁ ଫେରୁଥିବା ଦେଖି ରୀତାରାଣୀ କହିଛନ୍ତି, ଡାକ୍ତର ମାନେ ଵାସ୍ତଵରେ ଦ୍ବିତୀୟ ଭଗଵାନ । ତେବେ ବିଭାଗୀୟ ଡାକ୍ତର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ଅସ୍ତ୍ରୋପଚାର ରେ ଗୋଡ଼ ସମ୍ପୂର୍ଣ୍ଣ ସ୍ବାଭାବିକ ନହେଲେ ମଧ୍ୟ 60 ରୁ 80 ପ୍ରତିଶତ ସ୍ବାଭାବିକ ହୋଇପାରିଵ ।