ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧୂଆଣି ବନାଞ୍ଚଳ ଅନ୍ତର୍ଗତ ଗିଧିବାସ ଛକ ନିକଟରେ ବନ୍ୟପ୍ରାଣୀଙ୍କ ଅଂଶବିଶେଷ ବିକ୍ରି ସମୟରେ ବନ ବିଭାଗ ଚଢ଼ାଉ କରିଛି। ଘଟଣାରେ ୨ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗ୍ରାମର ପ୍ରତାପ ମଣ୍ଡଳ(୧୯) ଏବଂ କରଞ୍ଜିଆ ନୂଆସାହିର ଅଙ୍କିତ ଦେହୁରୀ(୧୯) ବୋଲି ଜଣାପଡି ପଡିଛି। ସେମାନଙ୍କ ନିକଟରୁ ବ୍ୟାପକ ବନ୍ୟପ୍ରାଣୀଙ୍କ ଅଂଶବିଶେଷ ଜବତ କରାଯାଇଛି I
ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ବୟ ଗିଧିବାସ ଛକ ନିକଟରେ ଶନିବାର ସନ୍ଧ୍ୟା ୬ଟା ସମୟରେ ବନ୍ୟପ୍ରାଣୀଙ୍କ ଅଂଶବିଶେଷ ବିକ୍ରି ନିମନ୍ତେ ଗ୍ରାହକଙ୍କୁ ଅପେ ପେକ୍ଷା କରିଥିଲେ। ଯଶୀପୁରସ୍ଥିତ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ଛକ ନିକଟରେ ପୂର୍ବରୁ ଛକି ବସିଥିଲେ। ଅଭିଯୁକ୍ତଦ୍ବୟ ଏକ ଜରି ବ୍ୟାଗରେ ହାତୀଦାନ୍ତର ଅଗ୍ରଭାଗ(୪୦ଗ୍ରାମ), ଚିତାବାଘ ଚମଡ଼ା ଖଣ୍ଡ(୬ସେ.ମିରୁ ୪ ସେ.ମି), ଭାଲୁ ନଖ ୧ ଟା ଏବଂ ଶମ୍ବର ଶିଙ୍ଗ ଟୁକୁଡା(୨) ନେଇ ବିକ୍ରି ପାଇଁ ପହଁଞ୍ଚି ଥିବା ବେଳେ କର୍ମଚାରୀ ତାଙ୍କୁ କାବୁ କରିଥିଲେ। ଚଢ଼ାଉ ସମୟରେ କରଞ୍ଜିଆ ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରା ଏବଂ ଦୁଧୂଆଣି ବନାଞ୍ଚଳ ଟାଇଁସିରା ବିଟର ବନରକ୍ଷୀ ମନୋଜ କୁମାର ମହାନ୍ତ ସାମିଲ ଥିଲେ। ଅଭିଯୁକ୍ତଦ୍ବୟଙ୍କୁ ପଚରାଡ଼ୁଚରା ଓ ଡାକ୍ତରୀ ପରୀକ୍ଷା ପରେ ରବିବାର କୋର୍ଟଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।