କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଚୋରା ଖଣିଜ କାରବାର ବନ୍ଦ ହୋଇନାହିଁ। ସରକାର, ଖଣି ବିଭାଗ ଖଣିଜ ଚୋରା ଚାଲାଣ ରୋକିବାକୁ ଯାହା ବ୍ୟବସ୍ଥା କଲେ ମଧ୍ୟ ଏହି ଚୋରା ଖଣିଜ ବ୍ୟବସାୟକୁ ଅତ୍ୟାବଧି ରୋକା ଯାଇ ପାରିନାହିଁ। ଦୈନିକ ଏହି ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଖଣିଜ ପଦାର୍ଥ ବାହାରକୁ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଓ ଖଣି ବିଭାଗ ଜାଣି ପାରୁନାହିଁ। ମାତ୍ର ବନବିଭାଗ ପକ୍ଷରୁ ଚୋରା ଖଣିଜ ପଦାର୍ଥ ବୋଝେଇ ଜବତ୍ କରାଯାଉଛି। କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ବନାଞ୍ଚଳ ଅଧିନସ୍ଥ ବାମେବାରୀ ସେକ୍ସନ ପିଢ଼ପୋଖରୀ ଗ୍ରାମର ସମରସୁଆଁ ମୁଣ୍ଡାସାହି ନିକଟରୁ ଗୁରୁବାର ଏକ ଚୋରା ଖଣିଜ ବୋଝେଇ ହାଇୱାକୁ ଜବତ୍ କରିଛି ବନ ବିଭାଗ। ସୂଚନାନୁସାରେ ୩ଟି ଗାଡ଼ିରେ ଚୋରା ଚାଲାଣ ପାଇଁ ଲୁହା ପଥର ଲୋଡ ହେଉଥିବା ଜାଣିବାକୁ ପାଇ ବନବିଭାଗର ସ୍ଵତନ୍ତ୍ର ଟିମ ସେଠାରେ ଚଢାଉ କରିଥିଲା। ବନବିଭାଗକୁ ଦେଖି ୨ଟି ଗାଡି ସହ ଖଣି ମାଫିଆ ମାନେ ଘଟଣା ସ୍ଥଳରୁ ଚଂପଟ ମାରିଥିବା ବେଳେ OD09-P-9734 ନମ୍ବର ବିଶିଷ୍ଟ ଏକ ହାଇୱାକୁ ଜବତ୍ କରିଥିଲେ ବନ କର୍ମଚାରୀ। ଜବତ୍ ହାଇୱା ବର୍ତ୍ତମାନ ବାମେବାରୀ ସେକ୍ସନ କାର୍ଯ୍ୟାଳୟରେ ରହିଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।