କାଶୀନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କାଶୀନଗର ସିଆଳି ଅଞ୍ଚଳରେ ବୁଲୁଛି ଚାରିଟିକିଆ ହାତୀ ପଲ। ଗତ କିଛିଦିନ ହେଲା ଏହି ହାତୀପଲ ଆନ୍ଧ୍ର ପଟରୁ ଓଡ଼ିଶାର ସୀମା ମଧ୍ୟକୁ ପ୍ରବେଶ କରିଛନ୍ତି। ଓଡ଼ିଶା ସୀମାବର୍ତ୍ତୀ ବିଭିନ୍ନ ସ୍ଥାନର ଫସଲ କିଆରିରେ ପଶି ଦଳି ଚକଟି ନଷ୍ଟ କରୁଛି ଫସଲ। ଅନେକ ସମୟରେ ଗାଁ ନିକଟକୁ ଚାଲି ଆସୁଛନ୍ତି ଏହି ହାତୀ ପଲ। ଯାହାକୁ ଦେଖି ଭୟଭୀତ ହେଉଛନ୍ତି ଲୋକେ। ଦିନ ଦ୍ବିପହରରେ ମଧ୍ୟ ଜନବସତି ନିକଟରେ ଦେଖିବାକୁ ମିଳୁଛି ଏହି ହାତୀ ପଲ। ଫଳରେ ରାସ୍ତା ଘାଟରେ ଲୋକଙ୍କ ଯାତାୟତ ଏକ ପ୍ରକାରର ଅସୁରକ୍ଷିତ ହୋଇ ପଡ଼ିଛି। ଖବରପାଇ ବନ ବିଭାଗ କର୍ମଚାରୀ ହାତୀ ପଲର ଗତିବିଧିକୁ ଅନୁସରଣ କରି ସୁରକ୍ଷିତ ସ୍ଥାନକୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ହାତୀ ପଲ ବିଭିନ୍ନ ସମୟରେ ଜନବସତିର ନିକଟକୁ ଆସୁଥିବା ବେଳେ କିଛି ଦୁର୍ବୃତ୍ତ ହାତୀର ଅତି ନିକଟରେ ସେଲ୍ଫି ନେବାକୁ ପ୍ରୟାସ କରୁଥିବା ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ଜନସାଧାରଣଙ୍କୁ ସତର୍କ କରିବା ସହ କୈାଣସି ମାଧ୍ୟମରେ ହାତୀଙ୍କୁ ବିଚଳିତ ନ କରିବାକୁ ଅପିଲ କରିଛନ୍ତି ବନଖଣ୍ଡ ଅଧିକାରୀ। ଏହି ହାତୀ ପଲ ଶାନ୍ତ ଥିବା ବେଳେ ଏଯାଏଁ କୈାଣସି ଧନଜୀବନ ହାନି କରି ନାହାନ୍ତି। ହାତୀଙ୍କ ଦ୍ବାରା ଯେକୌଣସି ଚାଷୀଙ୍କ ଫସଲ ନଷ୍ଟ ହୋଇଥିଲେ ସେମାନେ ତୁରନ୍ତ ଆବେଦନ କଲେ ୨୦ ଦିନ ମଧ୍ୟରେ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ l